ପେସ ବୋଲରଙ୍କ ପାଇଁ ନିଜ ବିମାନ ସିଟ୍ ଛାଡି଼ଲେ ଦ୍ରାଭିଡ୍,କୋହଲି ଓ ରୋହିତ

1 min read

ଏଡିଲେଡ: କୌଣସି ବଡ଼ ପ୍ରତିଯୋଗିତା ପୂର୍ବରୁ ଖେଳାଳିଙ୍କ ଫିଟ୍‌ ରହିବା ଆଥଲେଟଙ୍କ ପାଇଁ ଖୁବ୍‌ ଜରୁରୀ । ସେମି ଫାଇନାଲ୍‌ରେ ପ୍ରବେଶ କରିଥିବା ଟିମ୍‌ ଇଣ୍ଡିଆ ଗୁରୁବାର ଦିନ ଦ୍ୱିତୀୟ ସେମି ଫାଇନାଲ୍‌ରେ ଇଂଲଣ୍ଡକୁ ଭେଟିବ । ତେଣୁ ସେମି ଫାଇନାଲ ଫାଇଟ୍‌ ପାଇଁ  ଭାରତୀୟ କ୍ରିକେଟ ଟିମ୍‌ ମଧ୍ୟ ଏହାର ଦୃତ ବୋଲର ମାନଙ୍କୁ ଫିଟ୍‌ ରଖିବା ଏବଂ ଆରାମ ପ୍ରଦାନ ଉଦ୍ଦେଶ୍ୟରେ ବିଶେଷ କାର୍ଯ୍ୟ କରୁଛି । ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ ।

ସୂଚନା ଅନୁସାରେ ଅଷ୍ଟ୍ରେଲିୟାରେ ଅନୁଷ୍ଠିତ T20 ବିଶ୍ୱ କପ୍‌ରେ ବିମାନରେ ଯାତ୍ରା କରିବା ସମୟରେ ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡ, ଅଧିନାୟକ ରୋହିତ ଶର୍ମା ଏବଂ ଷ୍ଟାର କ୍ରିକେଟର ବିରାଟ କୋହଲି ଦୃତ ବୋଲର ମୋହମ୍ମଦ ଶାମୀ, ଅର୍ଶଦୀପ ସିଂ, ଭୁବନେଶ୍ୱର କୁମାର ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ନିଜ ବିଜନେସ ସିଟ୍‌କୁ ଛାଡ଼ିଦେଲେ । ଏହାର ଏକମାତ୍ର କାରଣ ହେଉଛି କ୍ରିକେଟର ମାନଙ୍କୁ ପର୍ଯ୍ୟାପ୍ତ ଲେଗରୁମ୍‌ ମିଳୁ । ଯାହା ଦୃତ ବୋଲରଙ୍କୁ ଦୁଇ ମ୍ୟାଚ୍‌ ମଧ୍ୟରେ  ଆରାମ କରିବାକୁ ସାହାଯ୍ୟ ମିଳିବ । ଭାରତୀୟ ଦଳର ଜଣେ ସଦସ୍ୟଙ୍କ କହିବା ହେଉଛି, ଟୁର୍ଣ୍ଣାମେଣ୍ଟରୁ ଦୃତ ବୋଲରଙ୍କୁ ସବୁଠାରୁ ଅଧିକ ମାଇଲେଜ୍‌ ମିଳିବା ଜରୁରୀ ।

ଅନ୍ତଃରାଷ୍ଟ୍ରୀୟ କ୍ରିକେଟ୍‌ ପରିଷଦ(ICC)ର ନିୟମ ଅନୁସାରେ ପ୍ରତ୍ୟେକ ଟିମକୁ ୪ଟି ବିଜନେସ୍‌ କ୍ଲାସ୍‌ ସିଟ୍‌ ମିଳିଥାଏ । ଅଧିକାଂଶ ଟିମ୍‌ ବିମାନରେ ଯାତ୍ରା ସମୟରେ ସେମାନଙ୍କ କୋଚ୍‌, ଅଧିନାୟକ, ଉପ-ଅଧିନାୟକ ଏବଂ ମୁଖ୍ୟ ପରିଚାଳକଙ୍କୁ ଦେଇଥାନ୍ତି । କିନ୍ତୁ ବିମାନ ଯାତ୍ରାର ଆବଶ୍ୟକତା ଅଧିକ ବଢ଼ିବାରୁ ସେମାନଙ୍କୁ କିଭଳି ଭଲ ସିଟ୍‌ ମିଳିବ ସେଥିପ୍ରତି ଗୁରୁତ୍ୱ ଦିଆଗଲା ।

ସୂଚନାଯୋଗ୍ୟ,  ଟିମ୍‌ ଇଣ୍ଡିଆ ଗୁରୁବାର ଦିନ ଦ୍ୱିତୀୟ ସେମି ଫାଇନାଲ୍‌ରେ ଇଂଲଣ୍ଡକୁ ଭେଟିବ । ମେଲବର୍ଣ୍ଣରେ ଜିମ୍ବାୱେକୁ ପରାସ୍ତ କରି ଭାରତ ସେମିରେ ସ୍ଥାନ ପକ୍କା କରିଥିଲା ।