ନିଖୋଜ ନାବାଳକଙ୍କୁ ଉଦ୍ଧାର ଦାବିରେ ଡେଲାଙ୍ଗରେ ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ

ପିପିଲି: ନିଖୋଜର ୬ ଦିନ ପରେ ବି ମିଳୁନି ଆଶୀର୍ବାଦଙ୍କ କୌଣସି ସନ୍ଧାନ । ପୋଲିସ ହାତ ଖାଲି । ବଢ଼ିବାରେ ଲାଗିଛି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ । ପ୍ରତିବାଦରେ ଡେଲାଙ୍ଗରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ । ଫଳରେ ଖୋର୍ଦ୍ଧା ଓ କଣାସକୁ ଯାତାୟାତ ଠପ୍ ହୋଇଯିବା ସହ ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଗାଡି ଅଟକି ରହିଛି ।
ସୂଚନାଯୋଗ୍ୟ, ଡେଲାଙ୍ଗ ରତନପୁର ଗାଁର ୧୧ ବର୍ଷିୟ ଆଶୀର୍ବାଦ ସାହୁ ନିଖୋଜ ହେବାର୬ ଦିନି ବିତିଗଲାଣି । ସିସିଟିଭି ଫୁଟେଜ, ଡଗ ସ୍କ୍ୱାର୍ଡ ସହିତ ସ୍ୱତନ୍ତ୍ର ପୋଲିସ ଟିମ ଆଶୀର୍ବାଦଙ୍କ ସନ୍ଧାନରେ ଲାଗିଛନ୍ତି । ତଥାପି କୌରସି ସନ୍ଧାନ ପାଉନି ପୋଲିସ । ଏମିତି ସ୍ଥିତିରେ ସ୍ଥାନୀୟ ଲୋକେ ପୋଲିସ ତଦନ୍ତ ଉପରେ ପ୍ରଶ୍ନ ଉଠାଇବା ସହ କ୍ରାଇମବ୍ରାଞ୍ଚ କି ସିବିଆଇ ତଦନ୍ତ ଦାବି କରିଛନ୍ତି ।
ସେପଟେ ଗତକାଲି ପୁରୀ ଏସପି ଭିନୀତ ଅଗ୍ରୱାଲ ଘଟଣା ସ୍ଥଳରେ ପହଁଞ୍ଚି ଆଶୀର୍ବାଦଙ୍କ ପରିବାରକୁ ଭେଟିଛନ୍ତି । ଏଥିସହ ସ୍ଥାନୀୟ ପୋଲିସ ଠାରୁ ତଥ୍ୟ ନେଇଛନ୍ତି ।