ଚାଷୀ ଆନ୍ଦୋଳନ ହଟାଇବାକୁ ପିଟିସନ୍ ଦାଖଲ କଲେ ଆଇନ ଛାତ୍ର: କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କା

ନୂଆଦିଲ୍ଲୀ: ଦିଲ୍ଲୀ-ହରିୟାଣା ସୀମାରେ ଚାଷୀ ଆନ୍ଦୋଳନ ଆଜି ୧୯ ଦିନରେ ପହଞ୍ଚିଛି। ଦିନକୁ ଦିନ ଏହି ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ଏପରିକି ଆଜିଠୁ ଆମରଣ ଅନଶନ ପାଇଁ ଘୋଷଣା ମଧ୍ୟ କରାଯାଇଛି। ଅନ୍ୟପଟେ ରାସ୍ତା ଉପରେ ଚାଷୀ ଆନ୍ଦୋଳନ ଜାରି ରହିଥିବାରୁ ଯାତାୟାତରେ ଅସୁବିଧା ହେବା ସହ କରୋନା ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କାରେ ଆଇନ ଛାତ୍ର ରିଷଭ୍ ଶର୍ମା ତୁରନ୍ତ ଚାଷୀ ଆନ୍ଦୋଳନ ହଟାଇବାକୁ ସର୍ବୋଚ୍ଚ ଅଦାଲତରେ ପିଟିସନ ଦାଏର କରିଛନ୍ତି।
ପ୍ରଧାନ ବିଚାରପତି ଏସ୍.ଏ. ବୋବଡେ, ଜଷ୍ଟିସ୍ ଏ.ଏସ୍. ବୋପାନ୍ନା ଓ ଭି. ରାମାସୁବ୍ରମଣ୍ୟାନ୍ଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରିବେ। ଏ ନେଇ ସର୍ବୋଚ୍ଚ ନ୍ୟାୟାଳୟ ୱେବ୍ସାଇଟ୍ରେ ସୂଚନା ଦିଆଯାଇଛି। ଦିଲ୍ଲୀ ପୋଲିସ ଚାଷୀଙ୍କୁ ବୁରାରୀଠାରେ ଶନ୍ତିପୂର୍ଣ୍ଣ ଆନ୍ଦୋଳନ କରିବାକୁ ଅନୁମତି ଦେଇଥିଲା। ଏହାସତ୍ତ୍ୱେ ଚାଷୀମାନେ ରାଜଧାନୀ ସୀମା ଅବରୋଧ କରି ଆନ୍ଦୋଳନ କରୁଥିବା ପିଟିସନରେ ଦର୍ଶାଯାଇଛି।
ସୂଚନାଯୋଗ୍ୟ, ୧୯ ଦିନ ହେଲାଣି ଦିଲ୍ଲୀ-ହରିୟାଣା ସୀମାରେ ନୁଆ କୃଷି ଆଇନ ବିରୋଧରେ ଚାଷୀମାନେ ଆନ୍ଦୋଳ କରୁଛନ୍ତି। ନୂଆ ଆଇନ ପ୍ରତ୍ୟାହାର ପାଇଁ ଚାଷୀ ଜିଦ୍ ଧରିଥିବା ବେଳେ କେନ୍ଦ୍ର ସରକାର ଏଥିରେ ଅସହମତି ପ୍ରକାଶ କରିଛନ୍ତି। ଯାହାଫଳରେ ଏକାଧିକ ଥର ବସିଥିବା ଚାଷୀ-କେନ୍ଦ୍ର ସରକାର ବୈଠକ ନିଷ୍ଫଳ ରହିଛି। ତେବେ ଚାଷୀଙ୍କୁ ଆନ୍ଦୋଳନସ୍ଥଳରୁ ତୁରନ୍ତ ହଟାଇବା ପାଇଁ ସୁପ୍ରିକୋର୍ଟରେ ହୋଇଥିବା ଆବେଦନର ଶୁଣାଣି ଆସନ୍ତା ୧୬ ତାରିଖରେ ହେବ।