ଭାରତରୁ ଦକ୍ଷିଣଆଫ୍ରିକା.. ପରେ ଇଂଲଣ୍ଡ ପହଞ୍ଚିଥିଲା ସୁନକଙ୍କ ପରିବାର…ଜାଣନ୍ତୁ ପ୍ରଧାନମନ୍ତ୍ରୀ ହେବା ପର୍ଯ୍ୟନ୍ତର ଯାତ୍ରା

ନନ୍ଦିଘୋଷ ବ୍ୟୁରୋ: ଭାରତୀୟ ବଂଶୋଦ୍ଧବ ଋଷି ସୁନକ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ହେବେ । କଞ୍ଜରଭେଟିବ ଦଳର ନେତା ଭାବେ ନିର୍ବାଚିତ ହେବା ପରେ ପ୍ରଧାନମନ୍ତ୍ରୀ ହେବା ନେଇ ଘୋଷଣା ହୋଇଛି । ସୁନକଙ୍କୁ ସବୁଠୁ ଅଧିକ ସାଂସଦଙ୍କ ସମର୍ଥନ ମିଳିଛି ଯେତବେଳେ କି ପେନୀ ମୋରଡାଣ୍ଟ ସମର୍ଥନରେ ବହୁତ ପଛରେ ରହିଯାଇଥିଲେ, ଏହାପରେ ସେ ନିଜ ନାଁ ପ୍ରତ୍ୟାହର କରିନେଇଥିଲେ ।

ସୂଚନାଥାଉକି, ୪୫ ଦିନ ପର୍ଯ୍ୟନ୍ତ ବ୍ରିଟେନର ପ୍ରଧାନମନ୍ତ୍ରୀ ରହିଥିବା ଲିଜ୍ ଟ୍ରସ୍ ଙ୍କ ଇସ୍ତଫା ପରେ ପୁଣିଥରେ ନିର୍ବାଚନ କରାଯାଇଥିଲା । ଆରମ୍ଭରୁ ହିଁ ଋଷି ସୁନକଙ୍କୁ ମଜବୁତ ପ୍ରାର୍ଥୀ ଭାବେ ଜଣାଯାଉଥିଲା । ଆଜି ପ୍ରଧାନମନ୍ତ୍ରୀ ଭାବେ ତାଙ୍କ ନାଁ ଘୋଷଣା ପରେ ଭାରତରେ ମଧ୍ୟ ଖୁସିର ଲହର ଖେଳିଯାଇଛି । ଦିନେ ଯେଉଁ ଇଂରେଜ ଭାରତ ଉପରେ ୨୦୦ ବର୍ଷ ପର୍ଯ୍ୟନ୍ତ ଶାସନ କରିଥିଲେ, ଆଜି ଜଣେ ଭାରତୀୟ ବଂଶୋଦ୍ଭବ ସେମାନଙ୍କୁ ଶାସନ କରିବେ । ଏହାକୁ ନେଇ ଭାରତୀୟ ବେସ୍ ଗର୍ବ ଅନୁଭବ କରୁଛନ୍ତି ।

ତେବେ ଆଜି ଆମେ ଜାଣିବା ଋଷିଙ୍କ ଭାରତ ସହ ସମ୍ବନ୍ଧର କଥା । ଭାରତ ଛାଡ଼ିବା ପରେ ତାଙ୍କ ପରିବାର କେଉଁଠିକୁ ଯାଇଥିଲେ ଏବଂ ଇଂଲଣ୍ଡରେ ସୁନକଙ୍କ ରାଜନୈତିକ ଯାତ୍ରା ସମ୍ପର୍କରେ ସବୁକିଛି ଜାଣିବା । ଋଷି ସୁନକଙ୍କ ଜନ୍ମ ୧୨ ମଇ ୧୯୮୦ରେ ବ୍ରିଟେନର ସାଉଥମ୍ପଟନରେ ହୋଇଥିଲା । ତାଙ୍କ ମାଆଙ୍କ ନାଁ ଉଷା ସୁନକ ଏବଂ ପିତାଙ୍କ ନାଁ ଯଶବୀର ସୁନକ । ସେ ତିନି ଭାଇ ଭଉଣୀଙ୍କ ମଧ୍ୟରେ ସବୁଠୁ ବଡ଼ ଅଟନ୍ତି । ତାଙ୍କ ଜେଜେ ବାପା ଓ ଜେଜେ ମାଆ ପଞ୍ଜାବର ବାସିନ୍ଦା ଥିଲା । ୧୯୬୦ରେ ସେ ନିଜ ପିଲାଙ୍କ ସହ ପୂର୍ବ ଆଫ୍ରିକା ଚାଲିୟାଇଥିଲେ ।

ପରେ ଏହିଠାରୁ ତାଙ୍କ ପରିବାର ଇଂଲଣ୍ଡ ସ୍ଥାନାନ୍ତର ହୋଇଯାଇଥିଲା । ସେବେଠୁ ସୁନକଙ୍କ ପରିବାର ଇଂଲଣ୍ଡରେ ରହିଆସୁଛି । ଭାରତରେ ବଡ଼ ଉଦ୍ୟୋଗପତିମାନଙ୍କ ମଧ୍ୟରେ ଜଣାଶୁଣା ଇନଫୋସିସର ସଂସ୍ଥାପକ ନାରାୟଣମୂର୍ତ୍ତିଙ୍କ ଝିଅ ଅକ୍ଷତା ମୂର୍ତ୍ତିଙ୍କୁ ବିବାହ କରିଛନ୍ତି ଋଷି । ସୁନକ ଓ ଅକ୍ଷତାଙ୍କ ଦୁଇଝଣ ଝିଅ ଅଛନ୍ତି । ତାଙ୍କ ଝିଅମାନଙ୍କ ନାଁ ଅନୁଷ୍କା ସୁନକ ଓ କୃଷ୍ଣା ସୁନକ ଅଟେ । ଋଷି ସୁନକଙ୍କ ପ୍ରାଥମିକ ପାଛପଢ଼ା ଇଂଲଣ୍ଡର ୱିନଚେଷ୍ଟର କଲେଜରେ ହୋଇଥିଲା । ସେ ଆଗାମୀ ପାଠପଢ଼ା ଅକ୍ସଫୋର୍ଡରୁ କରିଥିଲେ । ୨୦୦୬ରେ ସେ ଷ୍ଟାନପୋର୍ଡ ବିଶ୍ୱବିଦ୍ୟାଳୟରୁ ଏମବିଏର ଡିଗ୍ରୀ ମଧ୍ୟ ପ୍ରାପ୍ତ କରିଥିଲେ ।

ଏମବିଏ ପାଠ ପଢ଼ା ସମୟରେ ଋଷି ଓ ଇନପୋସିସ ସଂସ୍ଥାପକ ନାରାୟଣମୂର୍ତ୍ତିଙ୍କ ଝିଅ ଅକ୍ଷତାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ୨୦୦୯ରେ ଉଭୟଙ୍କ ବିବାହ ବେଙ୍ଗାଲୁରୁରେ ଭାରତୀୟ ରୀତିନୀତିରେ ହୋଇଥିଲା । ଅକ୍ଷତା ଇଂଲଣ୍ଡରେ ନିଜର ଫେସନ ବ୍ରାଣ୍ଡ ମଧ୍ୟ ଚଳାଉଛନ୍ତି । ଆଜିର ତାରିଖରେ ସେ ଇଂଲଣ୍ଡର ସବୁଠୁ ଧନୀ ମହିଳାମାନଙ୍କ ମଧ୍ୟରୁ ଜଣେ  । ଷ୍ଟାନପୋର୍ଡ ବିଶ୍ୱବିଦ୍ୟାଳୟରୁ ଏମବିଏ କରିବା ପରେ ଋଷି ଗୋଲ୍ଡମ୍ୟାନ ସ୍କାକ୍ସରେ ଚାକିରି କରିଥିଲେ । ୨୦୦୯ରେ ସେ ଚାକିରି ଛାଡି ବ୍ୟବସାୟ ଆରମ୍ଭ କରିଥିଲେ । ଏହାପରେ ତାଙ୍କର ବ୍ୟବସାୟ ବଢ଼ିବାରେ ଲାଗିଥିଲା ।

୨୦୧୩ରେ କ୍ୟାଟାମାରନ ଭେଞ୍ଚର୍ସ ୟୁକେ ଲିମିଟେଡରେ ତାଙ୍କୁ ଏବଂ ତାଙ୍କ ପତ୍ନୀଙ୍କୁ ନିର୍ଦ୍ଦେଶକ ନିଯୁକ୍ତ କରାଯାଇଥିଲା । ୨୦୧୫ରେ ସେ ଏହି ପାର୍ମରୁ ଇସ୍ତଫା ଦେଇଥିଲେ କିନ୍ତୁ ତାଙ୍କ ପତ୍ନୀ ଏହାସହ ଯୋଡ଼ିହୋଇ ରହିଥିଲେ । ଏହି କମ୍ପାନୀ ଅକ୍ଷତାଙ୍କ ବାପା ଏନ ନାରାୟଣ ମୂର୍ତ୍ତିଙ୍କର ଅଟେ । ଋଷି ସୁନକ ପ୍ରଥମଥର ୨୦୧୪ରେ ରାଜନୀତିରେ ପାଦ ଥାପିଥିଲେ । ୨୦୧୫ରେ ସେ ରିଚମଣ୍ଡରୁ ନିର୍ବାଚନ ଲଢ଼ିଥିଲେ ଏବଂ ବିଜୟୀ ମଧ୍ୟ ହୋଇଥିଲେ । ୨୦୧୭ରେ ତାଙ୍କୁ ପୁଣିଥରେ ବିଜୟ ମିଳିଥିଲା । ଏହାପରେ ୧୩ ଫେବ୍ରୁଆରୀ ୨୦୨୦ରେ ତାଙ୍କୁ ଇଂଲଣ୍ଡର ଅର୍ଥମନ୍ତ୍ରୀ ଘୋଷଣା କରାଯାଇଥିଲା ।

ଚଳିତ ବର୍ଷ ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଉପରେ ଆରୋପ ଲାଗିବା ପରେ ଋଷି ସୁନକ ଇସ୍ତଫା ଦେଇ ଦେଇଥିଲେ । ଏହାପରେ ଲଗାତାର ଜନସନ କ୍ୟାବିନେଟର ଅନେକ ମନ୍ତ୍ରୀ ଇସ୍ତଫା ଦେଇ ଦେଇଥିଲେ । ଏହାପରେ ନୂଆ ପ୍ରଧାନମନ୍ତ୍ରୀ ପାଇଁ ନିର୍ବାଚନ ଆରମ୍ଭ ହୋଇଥିଲା । ଏଥିରେ ଋଷି ସୁନକ ମଜବୁତ ପ୍ରାର୍ଥୀ ଭାବେ ସାମ୍ନାକୁ ଆସିଥିଲେ । ଏ

ହାପରେ ମୁଖ୍ୟ ଲଢ଼େଇ ଋଷି ଓ ଲିଜଙ୍କ ମଧ୍ୟରେ ହୋଇଥିଲା । କିନ୍ତୁ ଲିଜ ଟ୍ରସ ପ୍ରଧାନମନ୍ତ୍ରୀ ବନିଯାଇଥିଲେ । ଅବଶ୍ୟ, ଲିଜ ଟ୍ରସ୍ ଛଅ ସପ୍ତାହ ପରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଦେଇଥିଲେ । ଏହାପରେ ଋଷି ସୁନକ ମଧ୍ୟ ପ୍ରଧାନମନ୍ତ୍ରୀ ଦୌଡ଼ରେ ଆସିଯାଇଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଦୌଡ଼ରୁ ଓହରି ଯିବା ପରେ ସୁନକଙ୍କ ପ୍ରଧାନମନ୍ତ୍ରୀ ହେବା ରାସ୍ତା ସଫା ହୋଇଯାଇଥିଲା । ଆଜି ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବେ ତାଙ୍କ ନାଁ ଘୋଷଣା କରାଯାଇଛି ।