ଅନାଥ ଭଉଣୀ ଗଙ୍ଗା-ଜମୁନା, ପେଟ ପାଇଁ କରୁଛନ୍ତି ସଂଘର୍ଷ

1 min read

ସୋର: ନା ଅଛି ମୁଣ୍ଡ ଉପରେ ବାପାଙ୍କ ହାତ, ନା ଅଛି ମାଆର ପଣତ । ସଂସାରର ଜଞ୍ଜଳ ଭିତରେ ଏକା ଏକା ଚାଲୁଛନ୍ତି ଦୁଇ ଅନାଥ ଭଉଣୀ ଗଙ୍ଗ ଓ ଜମୁନା । ଦିନକୁ ଦୁଇମୁଠା ଖାଇବା ଜୋଗାଡ଼ କରିବାକୁ କରିଛନ୍ତି ଏକ ଦୋକାନ । ଏଥିରୁ ଯାହା କିଛି ମିଳୁଛି, ପେଟକୁ ଦାନା ଓ ଦେହକୁ କନା କିଣିବା ବି ସମ୍ଭବ ହେଉନି । ଏମିତି ଦୟନୀୟ ଅବସ୍ଥାରେ ଜୀବନ ସହ ସଂଘର୍ଷ କରୁଥିବା ସୋର ବ୍ଳକ ତଳନଗର ହାବେଳୀ ଗଣ୍ଡତରା ଗାଁର ଗଙ୍ଗା ଏବଂ ଜମୁନାଙ୍କୁ ସହାୟତା ଯୋଗଇ ଦେବାକୁ ହେଉଛି ଦାବି ।

ବାପାମାଆ ଚାଲିଯିବା ପରେ ଦୁଃଖ ଭିତରେ ବଞ୍ଚିବାକୁ ଦୁଇ ଭଉଣୀ କରୁଛନ୍ତି ସଂଘର୍ଷ । ତଥାପି ହାରି ଯାଇନାହାନ୍ତି । ଦୋକାନରୁ ହେଉଥିବା ରୋଜଗାରରେ ପାଠ ପଢ଼ିବା ସହ ପରିବାର ଚଳାଉଛନ୍ତି । ଗଙ୍ଗା ଆଉ ଯମୁନା ଯେତେବେଳେ ୯ ବର୍ଷ ବୟସରୁ ବାପା ମାଆଙ୍କୁ ହରାଇଛନ୍ତି । ଏବେ ସେମାନଙ୍କ ସଂସାର ଜେଜେମାଆଙ୍କୁ ନେଇ । ବୃଦ୍ଧା ଜେଜେମାଆଙ୍କ ପେଟକୁ ଦାନା ଦେବା ବି ସେମାନଙ୍କ ଦାୟିତ୍ବ । ଉଭୟ ନବମ ଶ୍ରେଣୀରେ ପାଠ ପଢୁଥିବା ବେଳେ ସେମାନଙ୍କ ବାଟ ଓଗାଳିଛି ଗରିବୀ । ଜେଜେମାଆ ପାଉଥିବା ୫ ଶହ ଟଙ୍କା ଭତ୍ତା ଓ ୩୫ କିଲୋ ଚାଉଳରେ ତାଙ୍କ ପରିବାର ଚଳୁଛି ।

ଏମିତି ସ୍ଥିତିରେ ଓଳିଏ ଖାଇଲେ ଓଳିଏ ଉପବାସ ରହୁଛନ୍ତି ଦୁଇ ଭଉଣୀ । ଘର ପାଖରେ ଛୋଟ ଦୋକାନଟିଏ ଖୋଲି ଯାହା ଯେତିକି ରୋଜଗାର କରୁଛନ୍ତି l ଉଭୟ ମେଧାବୀ ଛାତ୍ରୀ ହୋଇଥିଲେ ବି ପାଠ ପଢ଼ାରେ ଅର୍ଥ ବାଧକ ସାଜିଛି । ସରକାର ସେମାନଙ୍କ ଉପରେ କୃପା ଦୃଷ୍ଟି ପକାଇ ସେମାନଙ୍କୁ ସହାୟତା ଯୋଗାଇ ଦେବାକୁ ଗଙ୍ଗା, ଜମୁନା ନିବେଦନ କରିଛନ୍ତି ।