ଆଖି ବୁଜିଲେ ବିଶିଷ୍ଟ ସାହିତ୍ୟିକା ପଦ୍ମଶ୍ରୀ ବୀଣାପାଣି ମହାନ୍ତି

କଟକ:  ବିଶିଷ୍ଟ ସାହିତ୍ୟିକା ପଦ୍ମଶ୍ରୀ ବୀଣାପାଣି ମହାନ୍ତିଙ୍କ ପରଲୋକ  । ବାଦାମବାଡ଼ିସ୍ଥିତ ବାସଭବନରେ ୮୫ବର୍ଷ ହୃଦରୋଗରେ ପରଲୋକ ଘଟିଛି  ।  କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିବା ବିଶିଷ୍ଟ ସାହିତ୍ୟିକା ହୃଦଘାତରେ ଆଖି ବୁଜିଛନ୍ତି ବୀଣାପାଣି ମହାନ୍ତି ୧୧ ନଭେମ୍ବର ୧୯୩୬ରେ ଜନ୍ମଗ୍ରହଣ କରିଥିଲେ । ସେ ବୃତ୍ତିରେ ଅର୍ଥନୀତି ଅଧ୍ୟପିକା ଭାବେ କାର୍ଯ୍ୟ କରି ସେଥିରୁ ଅବସର ନେଇଥିଲେ ।

୨୦୨୦ ମସିହାରେ ସେ ତାଙ୍କର ସାହିତ୍ୟିକ କୃତି ନିମନ୍ତେ ପଦ୍ମଶ୍ରୀ ସମ୍ମାନ ଏବଂ ଓଡ଼ିଆ ସାହିତ୍ୟର ସର୍ବୋଚ୍ଚ ପୁରସ୍କାର ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ ଲାଭ କରିଥିଲେ ଓ ପୂର୍ବରୁ କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଶାରଳା ପୁରସ୍କାରରେ ମଧ୍ୟ ସମ୍ମାନୀତ ହୋଇଥିଲେ । ସେ ଓଡ଼ିଶା ଲେଖିକା ସଂସଦର ସଭାପତି ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।

ବୀଣାପାଣି ମହାନ୍ତିଙ୍କ ଜନ୍ମ ବ୍ରହ୍ମପୁରରେ ହୋଇଥିଲା । ମାତ୍ର ତାଙ୍କ ପୈତୃକ ଗୃହ କେନ୍ଦ୍ରାପଡ଼ା ନିକଟସ୍ଥ ଚାନ୍ଦୋଳଠାରେ ଥିଲା । ସେ ୧୯୫୩ ମସିହାରେ ମାଟ୍ରିକ, ୧୯୫୭ରେ ଅର୍ଥନୀତିରେ ସ୍ନାତକ ଓ ୧୯୫୯ରେ ସ୍ନାତକୋତ୍ତର ଉତ୍ତୀର୍ଣ୍ଣ ହୋଇଥିଲେ । ତାଙ୍କର ସାହିତ୍ୟିକ ଜୀବନ କବିତା ଲେଖାରୁ ଆରମ୍ଭ ହୋଇ ଥିଲା । ୧୯୬୦ ମସିହାରେ ସେ ଜଣେ ଅର୍ଥନୀତି ଅଧ୍ୟାପିକା ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ ଓ ୧୯୯୨ରେ ଏଥିରୁ ଅବସର ଗ୍ରହଣ କରିଥିଲେ । ସେ ଆଜୀବନ ଅବିବାହିତା ।

ବୀଣାପାଣି, ଜଣେ କବି ଭାବରେ ଲେଖାଲେଖି ଆରମ୍ଭ କରି, ପରବର୍ତ୍ତୀ ସମୟରେ ଗଳ୍ପ ଓ ଉପନ୍ୟାସକୁ ଆବୋରୀ ନେଇଥିଲେ । ୧୯୫୫ ମସିହାରେ ତାଙ୍କର ପ୍ରଥମ କବିତା “ତନ୍ଦ୍ରାହତ” ପ୍ରଜାତନ୍ତ୍ର ନାରୀମହଲରେ ପ୍ରକାଶ ପାଇଥିଲା । ୧୯୫୭ ମସିହାରେ ତାଙ୍କର ପ୍ରଥମ ଗଳ୍ପ “ଗୋଟିଏ ରାତ୍ରୀର କାହାଣୀ” ରବିବାସରୀୟ ପ୍ରଜାତନ୍ତ୍ରରେ ପ୍ରକାଶ ପାଇଥିଲା ।