ଶୋଷଣ ଆଉ କେତେ ଦିନ ? ସଫେଇ କମର୍ଚାରୀଙ୍କୁ ଦିଅ ସ୍ଥାୟୀ ନିଯୁକ୍ତି

1 min read

ଭୁବନେଶ୍ବର: ଜନସାଧାରଣଙ୍କ ସ୍ବାସ୍ଥ୍ୟର ସୁରକ୍ଷା ପାଇଁ ସେମାନେ କାମ କରୁଛନ୍ତି । ମାତ୍ର ତାଙ୍କ ଅବସ୍ଥା ବୁଝିବାକୁ କେହି ନାହାନ୍ତି । ବାପ-ମାଆ ଛେଉଣ୍ଡ ଭଳି ସେମାନଙ୍କ ବର୍ତ୍ତମାନ ଓ ଭବିଷ୍ୟତ ବିପନ୍ନ । ରାଜ୍ୟର ସଫେଇ କର୍ମଚାରୀମାନେ ବହୁବିଧ ଅସୁବିଧା ଦେଇ ଗତି କରୁଛନ୍ତି ।  ନା ସେମାନଙ୍କୁ ହକ୍ ପ୍ରାପ୍ୟ ମିଳୁଛି ନା ମିଳୁଛି ସାମାଜିକ ସୁରକ୍ଷା । ଢୋକେ ପିଇ ଦଣ୍ଡେ ଜିଇଁବା ନୀତିରେ ଏମିତି ଛଟପଟ ହୋଇ ଜୀବନ କାଟୁଛନ୍ତି ହଜାର ହଜାର ସଫେଇ କର୍ମଚାରୀ । ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବାକୁ ଏବେ ସବୁ ମହଲରୁ ଦାବି ହେଉଛି ।

ରାଜ୍ୟର ସମସ୍ତ ସହରାଞ୍ଚଳକୁ ପରିଷ୍କାର ପରିଚ୍ଛନ୍ନ ରଖିବା ସହ ଜନସାଧାରଣଙ୍କ ସ୍ବାସ୍ଥ୍ୟ ସୁରକ୍ଷାରେ ଏହି ଚୁକ୍ତିଭିତ୍ତିକ ସଫେଇ କର୍ମଚାରୀମାନେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇ ଆସୁଛନ୍ତି । ମାତ୍ର ସେମାନଙ୍କୁ ପରିଶ୍ରମ ଅନୁସାରେ ହକ୍ ମିଳୁନି  । ଅଣକୁଶଳୀ ଶ୍ରମିକଙ୍କ ପାଇଁ ଧାର୍ଯ୍ୟ ମଜୁରୀ ମିଳୁଛି । ଏକରକମ ଗୋତି ଖଟୁଛନ୍ତି । ସ୍ବାସ୍ଥ୍ୟ ସୁରକ୍ଷାରେ ସବୁଠାରୁ ବଡ଼ ଭୂମିକା ତୁଲାଉଥିବା ଏହି ସଫେଇ କର୍ମଚାରୀମାନଙ୍କ ପ୍ରାପ୍ୟର ସିଂହଭାଗ ଠିକାସଂସ୍ଥା ହଡ଼ପ କରୁଛନ୍ତି । ବର୍ଷ ବର୍ଷ ଧରି ଶୋଷଣର ଶିକାର ହେଉଛନ୍ତି କର୍ମଚାରୀ । ମାତ୍ର ସରକାରଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁନି ।

ରାଜଧାନୀ ଭୁବନେଶ୍ବର ମହାନଗର ନିଗମରେ ହଜାର ହଜାର ଚୁକ୍ତିଭିତ୍ତିକ ସଫେଇ କର୍ମଚାରୀ ସବୁ ପ୍ରକାର ସୁବିଧା ସୁଯୋଗରୁ ବଞ୍ଚିତ । ଏ ନେଇ ଓଡ଼ିଶା ଚୁକ୍ତିଭିତ୍ତିକ ଠିକା ସଫେଇ କର୍ମଚାରୀ ସଂଘ ପକ୍ଷରୁ ଭୁବନେଶ୍ବର ଶ୍ରମ ଆୟୁକ୍ତଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ମହାନଗର ନିଗମ କର୍ତ୍ତୃପକ୍ଷ କିମ୍ବା ସରକାର ଏ ଦିଗ ପ୍ରତି ଧ୍ୟାନ ଦେଉନାହାନ୍ତି । ସଂଘର ସଭାପତି ମୋହନ ନାୟକଙ୍କ ନେତୃତ୍ବରେ ପ୍ରାୟ ୩ ଶହ ସଫେଇ କର୍ମଚାରୀ ଏକାଠି ହୋଇ ଆଗକୁ ଆନ୍ଦାଳନକୁ ଓହ୍ଲାଇବାକୁ ଧମକ ଦେଇଛନ୍ତି । ଏହି ବୈଠକରେ ସଂଘ ସଂପାଦକ ମନୋଜ ନାୟକ,କୁନ୍ତଲା ଦିଗାଲ, ଶୁକଦେବ ନାୟକ, ନବ ନାୟକ, ବିକାଶ ନାୟକ, ଗୋଲାପ ନାୟକ ଓ ରଂଜିତା ନାୟକ ପ୍ରମୁଖ ସାମିଲ ହୋଇଥିଲେ ।

ସଂଘ ପକ୍ଷରୁ ଦର୍ଶାଯାଇଛି, କରୋନା ମହାମାରୀ ସମୟରେ ଏହି ସଫେଇ କର୍ମଚାରୀମାନେ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କ ସେବା କରିଥିଲେ । ସହରାଞ୍ଚଳକୁ ପରିଷ୍କାର ପରିଚ୍ଛନ୍ନ କରିଥିଲେ । ସ୍ବଚ୍ଛ ଭାରତ ମିଶନରେ ଏମାନଙ୍କର ଅବଦାନ ସର୍ବାଧିକ । ପୌରାଞ୍ଚଳ ବର୍ଜ୍ୟବସ୍ତୁ ପରିଚାଳନାରେ ଏହି କର୍ମଚାରୀମାନେ ସବୁବେଳେ ବଡ଼ ଭୂମିକା ତୁଲାଇ ଆସୁଛନ୍ତି । ଫିକାଲ ସ୍କଜ କାର୍ଯ୍ୟକ୍ରମରେ ଓଡ଼ିଶା ଜାତୀୟସ୍ତରରେ ପୁରସ୍କୃତ ହୋଇଛି । ଏ କ୍ଷେତ୍ରରେ ଚୁକ୍ତିଭିତ୍ତିକ ସଫେଇ କର୍ମଚାରୀଙ୍କ ଭୂମିକା ସର୍ବାଧିକ । ତେଣୁ ସରକାର ଏମାନଙ୍କୁ ତୁରନ୍ତ ବେଠି ଖଟାଇବା ବନ୍ଦ କରନ୍ତୁ । ଚୁକ୍ତିଭିତ୍ତିକ ବଦଳରେ ସ୍ଥାୟୀ ନିଯୁକ୍ତି ପାଇଁ ପଦକ୍ଷେପ ନିଅନ୍ତୁ । ନଚେତ ଆଗକୁ ସଫେଇ କର୍ମଚାରୀମାନେ ନିଜ ହକ୍ ପାଇଁ ରାଜରାସ୍ତାକୁ ଓହ୍ଲାଇବେ ।