ମୋଦି କଲେ କୃଷି ଆଇନ ପ୍ରତ୍ୟାହାର ଘୋଷଣା, ବିରୋଧି କହିଲେ ଏମିତି…

1 min read

ନୂଆଦିଲ୍ଲୀ:  କୃଷି ଆଇନ ପ୍ରତ୍ୟାହାର ଘୋଷଣା ପରେ ସବୁଠୁ ଛୁଟୁଛି ପ୍ରତିକ୍ରିୟା । ରାଜନୈତିକ ବିଶ୍ଲଷକଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ଦଳର ନେତା-ମନ୍ତ୍ରୀଙ୍କ ମତ ମନ୍ତବ୍ୟରେ ପୁରି ଉଠିଛି ସୋସିଆଲ ମିଡି଼ଆ । ଆନ୍ଦୋଳନକୁ ତତକ୍ଷଣାତ ବନ୍ଦ କରାଯିବ ନାହିଁ ବୋଲି କହିଛନ୍ତି ଚାଷୀ ନେତା ତଥା କୃଷକ  ଆନ୍ଦୋଳନର ନେତୃତ୍ୱ ନେଉଥିବା ରାକେଶ ଟିକାୟତ  । ସେ କହିଛନ୍ତି ଆମେ ସେ ପର୍ଯ୍ୟନ୍ତ ଅପେକ୍ଷା କରୁଛୁ, ଯେପର୍ଯ୍ୟନ୍ତ କେନ୍ଦ୍ର ସରକାର ଏହାକୁ ସଂସଦରେ ପ୍ରତ୍ୟାହର ବିଲ ପାସ ନକରିଛନ୍ତି  । ଏହା ସହ ଟିକାୟତ କହିଛନ୍ତି ଚାଷୀ ଆନ୍ଦୋଳନ ସ୍ଥଗିତ ରହିବା ପୂର୍ବରୁ କେନ୍ଦ୍ର ସରକାର କୃଷକଙ୍କ ସହ ଆଲୋଚନା କରନ୍ତୁ  ।

ଚାଷୀ ସଂଗଠନ MSPକୁ ନେଇ ମଧ୍ୟ ଆନ୍ଦୋଳନ ଜାରି ରଖିଛି  । ତେଣୁ ଅନ୍ୟ ପ୍ରସଙ୍ଗ ଉପରେ କେନ୍ଦ୍ର ସରକାର ଆଲୋଚନା କରିବାର ଆବଶ୍ୟକତା ରହିଛି  । ନଚେତ ଏ ଆନ୍ଦୋଳନ ସ୍ଥଗିତ ରହିବ ନାହିଁ  । ସେପଟେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି, ଦେଶର ଅନ୍ନଦାତା ସତ୍ୟାଗ୍ରହ କରି ଅହଂକାର ଭାଙ୍ଗି ଦେଇଛନ୍ତି  । ଅନ୍ୟାୟ ବିରୋଧରେ ଏକ ବିଡ଼ ବିଜୟ ହୋଇଛି  ବୋଲି ଟ୍ବିଟ୍ କରିଛନ୍ତି ରାହୁଲ ଗାନ୍ଧି । ଏହା ସହିତ ସେ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ପୋଷ୍ଟ କରିଛନ୍ତି  । ଯେଉଁଥିରେ ଖୋଦ ରାହୁଲ ଗାନ୍ଧୀ ସାମ୍ବାଦିକ ମାନଙ୍କୁ ପ୍ରତିକ୍ରିୟା ଦେଉଛନ୍ତି  । ସେଥିରେ ସେ କହିଛନ୍ତି କଂଗ୍ରେସ କୃଷକଙ୍କ ସହ ସର୍ବାଦା ଏବଂ ସବୁ ସମୟରେ ରହିଛି  ।

ସେପଟେ ବିଭିନ୍ନ ରାଜ୍ୟର ଉପନିର୍ବାଚନରେ ପରାଜୟ ଓ ଆସୁଥିବା ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି ତିନି କୃଷି ଆଇନ ପ୍ରତ୍ୟାହାର ପାଇଁ କେନ୍ଦ୍ର ବାଧ୍ୟ ହୋଇଥିବା ପ୍ରତିକ୍ରିୟା ପ୍ରକାଶ ପାଉଛି । ସେତେବେଳେ ଜଣେ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହୁଏ , ଯେତେବେଳେ ଜଣେ ସେହିଭଳି ଲୋକ ମୁଣ୍ଡ ନୁଆଁଇବା ପାଇଁ ବାଧ୍ୟ କରାଏ  ।   କେନ୍ଦ୍ର ସରକାର ବହୁ ଆଗରୁ ଆଇନ ପ୍ରତ୍ୟାହାର କରିବାର ଥିଲା, ଏଭଳି ହୋଇଥିଲେ 500 ରୁ ଅଧିକ ଚାଷୀ ସହିଦ ହୋଇ ନଥାନ୍ତେ ବୋଲି କଂଗ୍ରେସ କହିଛି । ସରକାର ନିର୍ବାଚନ ହାରିବା ଭୟରେ ଆଇନ ପ୍ରତ୍ୟାହାର କଲେ ବୋଲି ଏନସିପି ନେତା ନୱାବ ମଲ୍ଲିକ କହିଛନ୍ତି ।

ସେପଟେ ବିରୋଧୀ ଆରମ୍ଭରୁ ଆଇନ ବିପକ୍ଷରେ ଥିଲେ, ସରକାର ବିଚାର ବିମର୍ଶ କରିଥିଲେ, ଏତେ ଚାଷୀ ସହିଦ ହୋଇ ନଥାନ୍ତେ ବୋଲି ଆରଜେଡି କହିଛି । କେନ୍ଦ୍ର ସରକାରଙ୍କ ଅହଂକାର ଭାଙ୍ଗିଛି, ଚାଷୀଙ୍କ ବିଜୟ ହୋଇଛି ବୋଲି ଟିଏମ୍‌ସି ପ୍ରତିକ୍ରିୟା ରଖିଛି । ଅନ୍ୟପଟେ ଚାଷୀ ଆଇନ ପ୍ରତ୍ୟାହାର ନେଇ ପ୍ରଧାନମନ୍ତ୍ରୀ ଘୋଷଣା କରିବା ପରେ ସୋସିଆଲ ମିଡିଆରେ ୟୁଜର ମଧ୍ୟ ବିଭିନ୍ନ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି  । କେହି କେହି କହିଛନ୍ତି କିଛି ଅନ୍ଧ ଭକ୍ତ କହୁଥିଲେ ମୋଦି ମୁଣ୍ଡ ନୁଆଁନ୍ତି ନାହିଁ  । କିନ୍ତୁ ଏମିତି ସମୟ ଆସିଲା ଯେ ଖୋଦ ନିଜେ ମୋଦି ମୁଣ୍ଡକୁ ନୁଆଁଇବା ପାଇଁ ବାଧ୍ୟ ହେଲେ  ।

Leave a Reply