କାଗଜ ଟଙ୍କାରେ ଖୁବଶୀଘ୍ର ଦେଖିବାକୁ ମିଳିବେ ରବିନ୍ଦ୍ରନାଥ ଠାକୁର ଓ ଅବଦୁଲ କଲାମ

1 min read

ନୂଆଦିଲ୍ଲୀ : ଖୁବଶୀଘ୍ର ବ୍ୟାଙ୍କ ନୋଟରେ ଆପଣ ଦେଶର ୧୧ତମ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମ ଓ ଜାତୀୟ ସଂଗୀତ ଜନ-ଗଣ-ମନର ଲେଖକ ତଥା ନୋବେଲ ବିଜେତା ରବିନ୍ଦ୍ରନାଥଙ୍କୁ ଦେଖିପାରିବେ । ବର୍ତ୍ତମାନ ବ୍ୟାଙ୍କ ନୋଟରେ କେବଳ ମହାତ୍ମାଗାନ୍ଧୀଙ୍କ ଚିତ୍ର ରହିଛି । ଆଗକୁ ମହାତ୍ମାଙ୍କ ଫଟୋ ଥିବା ନୋଟ୍ ଭଳି ରବିନ୍ଦ୍ରନାଥ ଓ ଅବଦୁଲ କାଲାମଙ୍କ ଚିତ୍ର ମଧ୍ୟ ନୋଟରେ ଦେଖିବାକୁ ମିଳିପାରେ । ଦି ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସର ଏକ ରିପୋର୍ଟରେ ଏଭଳି ଦାବି କରାଯାଇଛି । ରିପୋର୍ଟ ଅନୁସାରେ ଅର୍ଥ ମନ୍ତ୍ରଣାଳୟ ଓ  ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ କିଛି ସିରିଜର ନୋଟ୍ ଉପରେ ରବିନ୍ଦ୍ରନାଥ ଓ କଲାମଙ୍କ ୱାଟରମାର୍କ୍ ଛାପିବା ବିଷୟ ଚିନ୍ତା କରୁଛି ।

କବିଗୁରୁ ରବିନ୍ଦ୍ରନାଥଙ୍କ ନାମ ଦେଶ ବିଦେଶରେ ସମ୍ମାନ ସହିତ ନିଆଯାଇଥାଏ । କିନ୍ତୁ ପଶ୍ଚିମବଙ୍ଗରେ ତାଙ୍କୁ ବିଶେଷ ମାନ୍ୟତା ମିଳିଥାଏ । ପଶ୍ଚିମବଙ୍ଗର ଅନେକ ଘରେ ରବିନ୍ଦ୍ରନାଥଙ୍କ ଚିତ୍ର ଦେଖିବାକୁ ମିଳିଥାଏ । ଅନ୍ୟପକ୍ଷରେ ଭାରତର ୧୧ତମ ରାଷ୍ଟ୍ରପତି ଅବଦୁଲ କଲାମ ଦେଶରେ ମିଶାଇଲ ମ୍ୟାନ୍ ଭାବେ ପରିଚିତ । ତାଙ୍କର ମାର୍ଗଦର୍ଶନରେ ଭାରତ ଅଗ୍ନୀ ସିରିଜର କ୍ଷେପଣାସ୍ତ୍ର ତିଆରି କରିଥିଲା । ବାଜପାୟୀ ସରକାର ଅମଳରେ ହୋଇଥିବା ପରମାଣୁ ପରୀକ୍ଷଣ ମଧ୍ୟ ତାଙ୍କରି ନେତୃତ୍ୱରେ ହୋଇଥିଲା । ବ୍ୟାଙ୍କ ନୋଟ୍ ଉପରେ ମହାତ୍ମାଙ୍କ ବ୍ୟାତିତ ଅନ୍ୟକୌଣସି ଭାରତୀୟ ବ୍ୟକ୍ତିତ୍ୱଙ୍କ ଚିତ୍ର ଛାପିବା କଥା ଚିନ୍ତା କରିବା ପ୍ରଥମ ।

କ’ଣ ପାଇଁ ଏମିତି ହେଉଛି ?

ଆପଣ ଯଦି ଭାବୁଛନ୍ତି କାହିଁକି ଏମିତି ହେଉଛି ତେବେ ଜାଣି ରଖନ୍ତୁ ଯେ, ବ୍ୟାଙ୍କ ନୋଟରେ ଅନେକ ଅଙ୍କର ୱାଟରମାର୍କକୁ ସାମିଲ କରିବାର ସମ୍ଭାବନା ବାବଦରେ ଜାଣିବା ପାଇଁ ଏହି ପଦକ୍ଷେପ ନିଆଯାଉଛି । ସୂଚନାଯୋଗ୍ୟ ଯେ, ଆମେରିକାରେ ବିଭିନ୍ନବର୍ଗର ଡଲାରରେ ଜର୍ଜ ୱାଂସିଟନ, ଥୋମାସ ଜାଫରସନ୍, ବେଂଜାମିନ୍ ଫ୍ରାଙ୍କଲିନ୍, ଆଣ୍ଡ୍ର୍ୟୁ ଜ୍ୟାକସନ, ଆଲେକଜାଣ୍ଡର ହେମିଲଟନ୍ ଓ ଆବ୍ରହମ ଲିଙ୍କନଙ୍କ ଚିତ୍ର ରହିଥାଏ ।

କ’ଣ ହୋଇଛି ଅଗ୍ରଗତି ?

ସୂଚନା ଅନୁସାରେ ଆରବିଆଇ ଓ ସିକ୍ୟୁରିଟି ପ୍ରିଣ୍ଟିଂ ଆଣ୍ଡ୍ ମିଟିଂ କର୍ପୋରେସନ୍ ଅଫ୍ ଇଣ୍ଡିଆ ତରଫରୁ ଆଇଆଇଟି ଦିଲ୍ଲୀର ଏମିରେଟ୍ସ ପ୍ରଫେସର ଦିଲ୍ଲୀପ ଚି ଶାହାନୀଙ୍କୁ ଗାନ୍ଧୀ, ଠାକୁର ଓ କଲାମଙ୍କ ୱାଟରମାର୍କର ନମୂନାର ଦୁଇଟି ଅଲଗା ଅଲଗା ସେଟ୍ ପଠାଇଛି । ସାହାନୀଙ୍କୁ ଦୁଇ ସେଟ୍ ମଧ୍ୟରୁ ଗୋଟିଏ ବାଛିବାକୁ କୁହାଯାଇଛି । ସେ ବାଛିଥିବା ସେଟ୍ ଉପରେ ସରକାର ଅନ୍ତିମ ନିର୍ଣ୍ଣୟ ନେବେ ।ୱାଟରମାର୍କ ଯାଂଚ୍ କରୁଥିବା ପ୍ରଫେସର ଶାହନୀ ଇଲେକ୍ଟ୍ରୋମେଗ୍ନାଟିକ୍ ଇନଷ୍ଟ୍ରୁମେସନର ବିଶେଷଜ୍ଞ ଅଟନ୍ତି । ଚଳିତ ବର୍ଷ ଜାନୁଆରୀରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା ।