ଆକାଶରେ ବିରଳ ଦୃଶ୍ୟ, ଏକାଠି ନଜର ଆସିଲେ ଚନ୍ଦ୍ର ଓ ଶୁକ୍ରତାରା

ନନ୍ଦିଘୋଷ ବ୍ୟୁରୋ: ଜହ୍ନ ତଳେ ତାରା । ଏଭଳି ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି ଆଜିର ଆକାଶରେ । ଲୋକମାନେ ଏହି ଦୃଶ୍ୟର ଚିତ୍ର ଉତ୍ତୋଳନ କରି ସୋସିଆଲ ମିଡିଆରେ ଅପଲୋଡ୍‌ କରୁଛନ୍ତି । ଖଗୋଳ ବିଜ୍ଞାନୀଙ୍କ ମତରେ ଚନ୍ଦ୍ରଙ୍କ ନିକଟରେ ଶୁକ୍ରତାରା ଦୃଶ୍ୟମାନ ହେଉଛନ୍ତି । ସାଧାରଣତଃ ସଂଧ୍ୟା ଏବଂ ଭୋର୍‌ ସମୟରେ ଶୁକ୍ରତାରା ଆକାଶରେ ଦୃଶ୍ୟମାନ ହୋଇଥାଏ । ଅନ୍ୟ ତାରାଙ୍କ ଅପେକ୍ଷା ଏହା ପୃଥିବୀର ଅଧିକ ନିକଟରେ ଥିବାରୁ ଅଧିକ ଉଜ୍ବଳ ଦେଖାଯାଇଥାଏ ।

କିନ୍ତୁ ତୃତୀୟା ଜହ୍ନ ମଝିରେ ଶୁକ୍ରତାରା ଦେଖାଯିବା ବିରଳ ଘଟଣା ବୋଲି କୁହାଯାଉଛି । ଏନେଇ ପଠାଣି ସାମନ୍ତ ପ୍ଲାନେଟାରିୟମର ଉପନିର୍ଦ୍ଦେଶକ ଡକ୍ଟର ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି, ଶୁକ୍ର ତାରା ଆଗକୁ ଚନ୍ଦ୍ର ଚାଲିଆସିବାରୁ ତାହା ଲୁଚିଯିବା ସଦୃଶ୍ୟ ଦେଖାଯାଉଛି । ଭାରତୀୟ ସମୟ ଅପରାହ୍ନ ୪ଟା ସମୟରେ ଏହି ପ୍ରକ୍ରିୟା ସଂଗଠିତ ହୋଇଥିଲା । ତେବେ ଦିନ ଥିବାରୁ ଏହା ଦୃଶ୍ୟମାନ ହୋଇନଥିଲା । ଜ୍ୟୋତିର୍ବିଜ୍ଞାନରେ ଏହାକୁ ଅକଲ ଟେସନ କୁହାଯାଏ ।