ରଥଯାତ୍ରା ପାଇଁ ବଡ଼ଦାଣ୍ଡରେ ରାପିଡ ଆକ୍ସନ ଫୋର୍ସର ମକଡ୍ରିଲ୍

1 min read

ପୁରୀ: ପାଖେଇ ଆସିଲାଣି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ରଥରେ ଚଢ଼ି ପତିତ ଉଦ୍ଧାର ପାଇଁ ଯାତ୍ରା କରିବେ ପତିତପାବନ । ପୁରୀ ରଥଖଳାରେ ଜୋରସୋରରେ ଆଗେଇ ଚାଲିଛି ୩ ରଥର କାମ । ୧୪ରେ ଭକ୍ତଙ୍କ ଗହଣରେ ହେବ ସ୍ନାନ ପୂର୍ଣ୍ଣିମା । ଦୁଇ ବର୍ଷ ପରେ ମହାପ୍ରଭୁଙ୍କ ଯାତ୍ରାରେ ସାମିଲ ହେବେ ଶ୍ରଦ୍ଧାଳୁ । ଏଥିପାଇଁ ପୁରୀରେ ଅଧିକ ଭିଡ଼ ଜମିବା ଆଶଙ୍କା କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ଆଜି ଶ୍ରୀମନ୍ଦିର ସମ୍ମୁଖ ଓ ଚତୁଃପାର୍ଶ୍ୱରେ ରାପିଡ ଆକ୍ସନ ଫୋର୍ସ ମକଡ୍ରିଲ କରିଛି । ରଥଯାତ୍ରାରେ ଦୁଇ କମ୍ପାନୀ, ୨୪୦ ଯବାନ RAF ନିୟୋଜିତ ହେବେ । ଭିଡ଼ ନିୟନ୍ତ୍ରଣ ଓ ସୁରକ୍ଷା ସମ୍ପର୍କରେ ପୁରୀ ପୋଲିସ ମିଳିତ ଭାବରେ ଏହି ମକଡ୍ରିଲରେ ସାମିଲ ହୋଇଥିଲେ ।

ତେବେ ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖ ରଥ ଖଳାରେ ବିଶ୍ବକର୍ମା, ଭୋଇ, ରୂପକାରଙ୍କ ସହ ଦୋଳବେଦୀ, ଅସ୍ଥାୟୀ କମାର ଶାଳରେ ନିର୍ମାଣ କାର୍ଯ୍ୟକୁ ଜୋରଦାର କରିଛନ୍ତି । ରଥର ମୂଳଦୁଆ ଅର୍ଥାତ୍ ଦଣ୍ଡା ସ୍ଥାପନ ହୋଇ ତିନି ରଥର ଚକ ଓ ଅଖ ଉପରେ ଦଣ୍ଡାକୁ ସମତୁଲ କରାଯିବା ପରେ ଅଖର ଗୋଲେଇ ଅନୁସାରେ ଦଣ୍ଡାକୁ କାଟି ଖାପ ଦିଆଯାଇଛି । ସ୍ନାନଯାତ୍ରା ପୂର୍ବରୁ ୪ ନାହାକା ଉଠାଇବାକୁ ପ୍ରସ୍ତୁତି ଚାଲିଛି । ସେପଟେ ସ୍ନାନନୀତିଠାରୁ ଆରମ୍ଭକରି ପ୍ରଶାସନିକ ବ୍ୟବସ୍ଥା ଶୃଙ୍ଖଳିତ କରାଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ ।