ହରିୟାଣା: ରଣଜୀତ ହତ୍ୟାକାଣ୍ଡରେ ଗୁରମୀତ ରାମ ରହିମ ସମେତ, ୫ ଦୋଷୀ ସାବ୍ୟସ୍ତ

ପଞ୍ଚକୁଲା: ହରିୟାଣାର ଡେରା ସଚ୍ଚା ସୌଦା ମୁଖ୍ୟ ରାମ ରହିମକୁ ବଡ ଝଟକା। ରଞ୍ଜିତ ହତ୍ୟା ମାମଲାରେ ସିବିଆଇ କୋର୍ଟ ସୁନାରିୟା ଜେଲ୍‌ରେ ଥିବା ରାମ ରହିମ ସହିତ ୫ ଜଣ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ତେବେ ଦଣ୍ଡାଦେଶ ନେଇ ଏବେ ଘୋଷଣା କରାଯାଇ ନାହିଁ। କୁହାଯାଉଛି ଯେ, ସିବିଆଇର ସ୍ପେଶାଲ କୋର୍ଟ ୧୨ ଅକ୍ଟୋବରରେ ସମସ୍ତ ଦୋଷୀଙ୍କୁ ସଜା ଶୁଣାଇବେ। ମିଳିଥିବା ସୂଚନା ଅନୁସାରେ,ଏହି ମାମଲାରେ ରାମ ରହିମ, କୃଷ୍ଣ ଲାଲ, ସବଦିଲ, ଅବତାର ଓ ଜସବୀରକୁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏହି ମାମଲାରେ ଆଉ ଜଣେ ଅଭିଯୁକ୍ତ ଇନ୍ଦର ସେନ୍‌ର ମୃତ୍ୟୁ ହୋଇ ସାରିଛି।

ରଞ୍ଜିତ ହତ୍ୟା ମାମଲାରେ ଶୁକ୍ରବାର ଅଭିଯୁକ୍ତ ଡେରା ମୁଖ୍ୟ ଗୁରମିତ ରାମ ରହିମ ଓ କୃଷ୍ଣ କୁମାର ଭିଡିଓ କନଫରେନ୍ସି ଜରିଆରେ ହାଜର ହୋଇଥିଲେ। ସେଭଳି ଅଭିଯୁକ୍ତ ଅବତାର,ଜସବୀର ଓ ସବାଦିଲ୍‌ ପ୍ରତ୍ୟକ୍ଷ ରୂପରେ କୋର୍ଟରେ ହାଜର ହୋଇଛନ୍ତି। ସିବିଆଇ କୋର୍ଟ ଏହି ମାମଲାରେ ପୂର୍ବରୁ ୨୬ ଅଗଷ୍ଟରେ ନିଷ୍ପତ୍ତି ଶୁଣାଇଥିଲେ। ୧୯ ବର୍ଷ ପୁରୁଣା ଏହି ମାମଲାରେ ଗତ ୧୨ ଅଗଷ୍ଟରେ ଅନ୍ତିମ ଥର ଶୁଣାଣି ହୋଇଥିଲା। ସିବିଆଇ ଜଜ୍ ଡକ୍ଟର ସୁଶୀଲ କୁମାର ଗର୍ଗଙ୍କ କୋର୍ଟରେ ପ୍ରାୟ ଅଢେଇ ଘଣ୍ଟା ଯୁକ୍ତିତର୍କ ପରେ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି।

ରଞ୍ଜିତ ସିଂଙ୍କ ୨୦୦୨ ରେ ହତ୍ୟା ହୋଇଥିଲା। ଏହି ମାମଲାରେ ସିରସା ଡେରା ମୁଖ୍ୟ ରାମ ରହିମଙ୍କୁ ଅଭିଯୁକ୍ତ କରାଯାଇଛି। କୋର୍ଟରେ ଲଗାତାର ବହୁବାର ଶୁଣାଣି ଘୁଞ୍ଚି ସାରିଛି। ସେଭଳି ସିବିଆଇ ଅଭିଯୁକ୍ତଙ୍କ ବିରୋଧରେ ୨୦୦୩ ରେ ମାମଲା ରୁଜୁ କରାଯାଇଥିଲା ଓ ୨୦୦୭ ରେ କୋର୍ଟ ଚାର୍ଜ ଫ୍ରେମ୍ କରିଥିଲେ। ରଞ୍ଜିତ ସିଂ ଡେରାରେ ମ୍ୟାନେଜରଙ୍କ କାମ କରୁଥିଲେ। ଉଲ୍ଳେଖନୀୟ ଯେ,ଗୁରମିତ ରାମ ରହିମ ସାଧବୀଙ୍କୁ ଯୌନ ଶୋଷଣ କରିବା ମାମଲାରେ ପ୍ରଥମେ ୨୦ ବର୍ଷର ସଜା କାଟୁଛନ୍ତି। ଏହା ବ୍ୟତୀତ ସେ ସାମ୍ବାଦିକ ରାମଚନ୍ଦ୍ର ଛତ୍ରପତି ହତ୍ୟାକାଣ୍ଡରେ ଆଜୀବନ ସଜା କାଟୁଛନ୍ତି ।

Leave a Reply