ପ୍ରତିଜ୍ଞା ପାଳିଲେ ରିଲ୍ ସରବଜିତ, ରିଅଲ ଦଲବୀରଙ୍କୁ ଦେଲେ ମୁଖାଗ୍ନି

ଚଣ୍ଡିଗଡ: ଜାସୁସ୍‌ ଅଭିଯୋଗରେ ପାକିସ୍ତାନ ଜେଲରେ ବନ୍ଦୀ ପରେ ହତ୍ୟାର ଶିକାର ସରବଜିତ ସିଂଙ୍କ ଭଉଣୀ ଦଲବୀର କୌରଙ୍କ ଶନିବାର ରାତିରେ ମୃତ୍ୟୁ ଘଟିଛି । ପଞ୍ଜାବର ତରନତାରନ ସହରରେ ଥିବା ଭିଖିୱିଣ୍ଡରେ ଦଲବୀରଙ୍କ ଅନ୍ତିମ ସଂସ୍କାର କରାଯାଇଛି । ଦଲବୀରଙ୍କ ନିଧନ ଖବର ଶୁଣିବା ପରେ ଅଭିନେତା ରଣଦୀପ ହୁଡ୍ଡା ସିଧା ମୁମ୍ବାଇରୁ ପଞ୍ଜାବରେ ପହଞ୍ଚିଥିଲେ । ଦଲବୀରଙ୍କ ଶବକୁ କାନ୍ଧ ଦେବା ସହ ମୁଖାଗ୍ନି ଦେଇଥିଲେ ରଣଦୀପ । ଶୋକସନ୍ତପ୍ତ ପରିବାରକୁ ସେ ଶାନ୍ତ୍ବନା ଦେବା ସହ ଅମର ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରିଛନ୍ତି  ।

୨୦୧୬ରେ ସରବଜିତ ସିଂହଙ୍କ ବାୟୋପିକରେ ନଜର ଆସିଥିଲେ ରଣଦୀପ ହୁଡ୍ଡା  । ଫିଲ୍ମରେ ସରବଜିତଙ୍କ ଭଉଣୀ ଦଲବୀରଙ୍କ ଚରିତ୍ରରେ ଅଭିନୟ କରିଥିଲେ ଐଶ୍ବର୍ଯ୍ୟା ରାୟ ବଚ୍ଚନ  । ଫିଲ୍ମରେ ରଣଦୀପଙ୍କ ଅଭିନୟରେ ପ୍ରଭାବିତ ହୋଇ ତାଙ୍କୁ ଭାଇ ମାନି ନେଇଥିଲେ ରିଅଲ ଦଲବୀର  । ରିଲ ଠାରୁ ବି ରିଅଲ ଲାଇଫରେ ଦଲବୀରଙ୍କ ନିକଟତର ଥିଲେ ରଣଦୀପ  । ସରବଜିତ ଫିଲ୍ମର ଟ୍ରେଲର ରିଲିଜ ସମୟରେ ଭାବବିହ୍ବଳ ହୋଇ ପଡିଥିଲେ ଦଲବୀର  ।

ସେହି ସମୟରେ ସେ କହିଥିଲେ ଯେ ‘‘ରଣଦୀପଙ୍କ ଭିତରେ ମୁଁ ମୋ ଭାଇକୁ ଦେଖୁଛି । ମୋର ଏକ ଇଚ୍ଛା ଅଛି  । ଯେତେବେଳେ ମୋର ମୃତ୍ୟୁ ହେବ ରଣଦୀପ ମୋ ଶବକୁ କାନ୍ଧ ଦେବେ  । ମୋ ଭାଇ ମୋତେ କାନ୍ଧ ଦେଇଛି ଭାବି ଆତ୍ମାକୁ ଶାନ୍ତି ମିଳିବ  । ମୁଁ ବହୁତ ଖୁସି ଯେ ମୋତେ ରଣଦୀପ ଭଳି ଭାଇ ମିଳିଛି  । ଫିଲ୍ମରେ ସେ କେବଳ ହିରୋ ନୁହନ୍ତି ମୋ ଭାଇ ମଧ୍ୟ ଅଟନ୍ତି’’ ।
୫ ବର୍ଷ ପୂର୍ବେ ସରବଜିତ ଫିଲ୍ମ ରିଲିଜ ସମୟରେ ରଣଦୀପଙ୍କୁ ଏପରି ପ୍ରତିଜ୍ଞା କରାଇଥିଲେ ଦଲବୀର  । ଯାହା ରକ୍ଷା କରିଛନ୍ତି ରିଲ ସରବଜିତ  । ୧୯୯୧ ରେ ପାକିସ୍ତାନ କୋର୍ଟ ସରବଜିତ୍‌ ସିଂହଙ୍କୁ ଭାରତୀୟ ଜାସୁସ୍‌ ଅଭିଯୋଗରେ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଥିଲେ  । ଯାହା ପରେ ସରବଜିତଙ୍କ ଭଉଣୀ ଦଲବୀର ଲାଇମ ଲାଇଟକୁ ଆସିଥିଲେ  । ଭାଇକୁ ମୁକ୍ତ କରିବା ପାଇଁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ବିଦେଶ ମନ୍ତ୍ରାଳୟର ସେ ଦ୍ବାରସ୍ଥ ହୋଇଥିଲେ  । ୨୦୧୧ରେ ଭାଇକୁ ଦେଖା କରିବା ପାଇଁ ସେ ପାକିସ୍ତାନ ବି ଯାଇଥିଲେ  । ଏହାର ୨ ବର୍ଷ ପରେ ପାକିସ୍ତାନ ଜେଲରେ ସରବଜିତଙ୍କୁ ହତ୍ୟା କରାଯାଇଥିଲା  ।