ମହଙ୍ଗା ପଡ଼ିଲା ଭାରତକୁ ଧମକ: ପିସିବି ଅଧ୍ୟକ୍ଷ ପଦରୁ ବିଦା ହେବେ ରମୀଜ ରାଜା

ଲାହୋର: ଆତଙ୍କବାଦର ଗଡ଼ ପାକିସ୍ତାନକୁ କୌଣସି ବିଦେଶୀ କ୍ରିକେଟ ଟିମ୍ ଯିବାକୁ ନାରାଜ । ଯାହା ପାକିସ୍ତାନ କ୍ରିକେଟ୍ ବୋର୍ଡ ପାଇଁ ଅଭିଶାପ ପାଲଟିଛି । ପିସିବି ଦେବାଳିଆ ସ୍ଥିତିକୁ ଆସି ଯାଇଥିଲେ ବି ଏହାର କର୍ମକର୍ତ୍ତାଙ୍କ ମୁହଁ ଫୁଟାଣି କମିବାର ନାଁ ଧରୁନି । ଏପରିକି ବିଶ୍ବ କ୍ରିକେଟକୁ କଣ୍ଟ୍ରୋଲ୍ କରୁଥିବା ବିସିସିଆଇକୁ ବି ଧମକ ଦେବାକୁ ପଛାଉ ନାହିଁ । ହେଲେ ଏହି ଧମକ ଯେ ପିସିବି ପାଇଁ କେତେ ଭାରି ପଡ଼ିବ ହୁଏତ ଏହାର କର୍ମକର୍ତ୍ତାକୁ ଜଣାନାହିଁ । ଏହି କ୍ରମରେ ପିସିବି ଅଧ୍ୟକ୍ଷ ରମୀଜ ରାଜା ଭାରତକୁ ଧମକ ଦେଇ ଅଡୁଆରେ ପଡିଛନ୍ତି । ଏମିତି କି ତାଙ୍କ ଅଧ୍ୟକ୍ଷ ପଦ ଯିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି ।

ସୂଚନା ଅନୁସାରେ, ପିସିବିରେ ବଡ଼ ଧରଣର ଅଦଳବଦଳ ହେବାକୁ ଯାଉଛି । ପ୍ରଥମ ଲୋକ ଭାବେ ବଳି ପଡ଼ି ପାରନ୍ତି ପିସିବି ଅଧ୍ୟକ୍ଷ ରମୀଜ ରାଜା । ତାଙ୍କ ସ୍ଥାନରେ ପୂର୍ବ ପିସିବି ଅଧ୍ୟକ୍ଷ ନଜମ ସେଠୀ ପୁଣି କାର୍ଯ୍ୟଭାର ସମ୍ଭାଳି ପାରନ୍ତି ।

ପାକିସ୍ତାନୀ ଚ୍ୟାନେଲ ଜିଓ ନ୍ୟୁଜ୍ ଅନୁସାରେ, ପିସିବି ଅଧ୍ୟକ୍ଷ ପଦ ପାଇଁ ନଜମ ସେଠୀ ମୁଖ୍ୟ ଦାବିଦାର ଅଛନ୍ତି । ଏହାର ସଙ୍କେତ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ଶରିଫ ମଧ୍ୟ ଦେଇସାରିଛନ୍ତି । ଖବର ଅନୁସାରେ, ନଜମ ଗତ ଶନିବାର ଲାହୋରରେ ପ୍ରଧାନମନ୍ତ୍ରୀ ଶରିଫଙ୍କୁ ଭେଟିବା ସହ ତାଙ୍କ ସହ ଲଞ୍ଚ ବି କରିଛନ୍ତି ।

ତେବେ ରମୀଜ ରାଜା ଭାରତ ଭିରୋଧରେ ଏମିତି କ’ଣ କହିଦେଲେ ଯେ ତାଙ୍କୁ ପିସିବି ଅଧ୍ୟକ୍ଷ ପଦ ହରାଇବାକୁ ପଡିପାରେ । ବିଶ୍ବକପ୍ ବିଜେତା ପାକିସ୍ତାନ ଟିମର ରମୀଜ ଜଣେ ସଦସ୍ୟ ଥିବା ବେଳେ ଟିମ୍ ପାକିସ୍ତାନ ପାଇଁ ଅଧିନାୟକ ରହି ସାରିଛନ୍ତି । ସୂଚନାଯୋଗ୍ୟ, ଆସନ୍ତାବର୍ଷ ପାକିସ୍ତାନରେ ଏସିଆ କପ୍ ଖେଳାଯିବ । ଏଥିପାଇଁ ଭାରତୀୟ ଟିମ୍ ପାକିସ୍ତାନ ଗସ୍ତରେ ଯିବ ନାହିଁ ବୋଲି ବିସିସିଆଇ ସଚିବ ଜୟ ଶାହ କହିଥିଲେ । ଏହାପରେ ରମୀଜ ରାଜାଙ୍କ ରାଗ ପଞ୍ଚମ ହୋଇଯାଇଥିଲା । ସେ ଭାରତକୁ ସିଧା ଧମକ ଦେବାକୁ ପଛାଇ ନଥିଲେ । ଆଉ ବଡ଼ ବୋଲା ଭଳି କହି ଦେଇଥିଲେ ଯଦି ଭାରତ ପାକିସ୍ତାନ ଗସ୍ତରେ ନଆସେ ତେବେ ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ବକପ୍ ଖେଳିବାକୁ ପାକିସ୍ତାନ ଯିବ ନାହିଁ । ଏମିତି ଧକମ ରମୀଜ ୨ରୁ ୩ ଥର ଦେଇଥିଲେ । ଯାହା ତାଙ୍କ ପାଇଁ ମହଙ୍ଗା ହେବାକୁ ଯାଉଛି । ଲାଗୁଛି ପିସିବି ଚୌକିରେ ରମୀଜଙ୍କ ଖେଳ ସରି ଆସୁଛି ଆଉ ତାଙ୍କ ସ୍ଥାନରେ ଫିଲ୍ଡକୁ ଓହ୍ଲାଇବାକୁ ନଜମ ସେଠୀ ପ୍ରସ୍ତୁତ ହେଉଛନ୍ତି ।