ପ୍ରଗତିବାଦୀର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ସାଂସଦ ମାନସ ରଞ୍ଜନ ମଙ୍ଗରାଜ

ଭୁବନେଶ୍ୱର: ଦୈନିକ ଖବରକାଗଜ ପ୍ରଗତିବାଦୀର ପ୍ରତିଷ୍ଠାତା ସ୍ବର୍ଗତ ପ୍ରଦ୍ୟୁମ୍ନ ବଳଙ୍କ ୯୦ତମ ଜୟନ୍ତୀ ସମାରୋହ ଓ ପ୍ରଗତିବାଦୀର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ମାନସ ରଞ୍ଜନ ମଙ୍ଗରାଜ ଅତିଥି ଭାବେ ଯୋଗଦେଇଥିଲେ । ଆଜିକାଲି ମୂଲ୍ୟବୋଧ ଭିତ୍ତିକ ସାମ୍ବାଦିକତା ହଜିଗଲାଣି । ଅଳ୍ପ ସମୟରେ କିଭଳି ଚମକାଇଲା ଭଳି ସମ୍ବାଦ ପରିବେଷଣ କରାଯିବ, ସେଥିରେ ସାମ୍ବାଦିକମାନେ ବ୍ୟସ୍ତ ରହୁଛନ୍ତି । ଏହା ସମାଜକୁ ବିଶେଷ ଭାବେ ପ୍ରଭାବିତ କରୁଛି । ଏଥିପାଇଁ ସାମ୍ବାଦିକ ଯେତିକି ଦାୟୀ, ବୈଦ୍ୟୁତିକ ଗଣମାଧ୍ୟମର ଦର୍ଶକ ବି ସେତିକି ଦାୟୀ ବୋଲି ସାଂସଦ ମାନସ ରଞ୍ଜନ ମଙ୍ଗରାଜ କହିଛନ୍ତି  ।

ସେ କହିଥିଲେ, ଟୁଙ୍ଗୁରୁ ଭୋଳ ଭଳି ଅରୁଚିକର ସମ୍ବାଦ ପରିବେଷଣ କରିବା କେତେଦୂର ଯଥାର୍ଥ, ତାହା ପାଠକ, ଦର୍ଶକ ଓ ସାମ୍ବାଦିକ ବିଚାର କରିବା ଦରକାର । ଗୋଟିଏ ସମ୍ବାଦପତ୍ରର ମୂଳ ପୁଞ୍ଜି ହେଉଛି ପାଠକଙ୍କ ବିଶ୍ୱାସ ସୃଷ୍ଟି କରିବା। ସମାଜର ସବୁବର୍ଗର ଲୋକଙ୍କ ପାଇଁ ସାମ୍ବାଦିକ କଲମ ଚାଳନା କରିଥାନ୍ତି । ଆଜି କିନ୍ତୁ ଏ ସବୁର ଅଭାବ ପରିଲକ୍ଷିତ ହେଉଛି । ପ୍ରଦ୍ୟୁମ୍ନ ବଳ ଜଣେ ଦୃଢ଼, ନୀତିନିଷ୍ଠ ଓ ଉତ୍ତମ ମୂଲ୍ୟବୋଧ ଭିତ୍ତିକ ସାମ୍ବାଦିକ ଥିଲେ । ସାଧାରଣ ଜୀବନରେ ତାଙ୍କର ସାଲିସବିହୀନ କାର୍ଯ୍ୟଶୈଳୀ ସାମ୍ବାଦିକତା କ୍ଷେତ୍ରରେ ବି ଦେଖିବାକୁ ମିଳୁଥିଲା । ଅସାଧାରଣ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ ପ୍ରଦ୍ୟୁମ ବଳ ।

ଆଜିକାଲିର ଗଣମାଧ୍ୟମ ଯେପରି ଉନ୍ମାଦନା ସୃଷ୍ଟି କଲା ଭଳି ସମ୍ବାଦ ପଛରେ ଦୌଡୁଛନ୍ତି, ତାହା ପର ପିଢ଼ି ପାଇଁ ଭଲ ବାର୍ତ୍ତା ଦେଉନାହିଁ । ଏଥରୁ ସମସ୍ତେ କ୍ଷାନ୍ତ ରହିବା ଉଚିତ । ସାଂସଦ ମାନସ ରଞ୍ଜନ ମଙ୍ଗରାଜ କହିଥିଲେ, ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ଭାବେ ମୁଁ ସାଢ଼େ ୩ ବର୍ଷ ଧରି କାର୍ଯ୍ୟ କରିଛି । ରାଜ୍ୟରେ ସମ୍ବାଦପତ୍ରଙ୍କ ଭୂମିକା ଓ ସାମ୍ବାଦିକମାନଙ୍କର କାର୍ଯ୍ୟଶୈଳୀକୁ ବେଶ୍‌ ଭଲ ଭାବେ ପରଖିଥିବା ମାନସ ରଞ୍ଜନ ମଙ୍ଗରାଜ କହିଥିଲେ । ସ୍ବର୍ଗତ ବଳଙ୍କ ସାମ୍ବାଦିକାତରେ ଅବଦାନ ଉପରେ ମନେ ପକାଇ ଭିନ୍ନ ଭିନ୍ନ ମତ ରଖିଥିଲେ ମନ୍ତ୍ରୀ ଓ ବିଧାୟକ ।