ନକଲି ନଡ଼ିଆ ତେଲ ଫ୍ୟାକ୍ଟ୍ରି ଉପରେ ଚଢ଼ାଉ

ବ୍ରହ୍ମପୁର: ଅସଲି ବ୍ରାଣ୍ଡ ଭଳି ଦିଶୁଥିବା ବୋତଲରେ ନକଲି ଅପମିଶ୍ରିତ ତେଲ । ବାହାରକୁ ଦେଖିଲେ ଭାବିବେ ଏହା ଅସଲି ବ୍ରାଣ୍ଡେଡ୍ କମ୍ପାନୀର ନଡ଼ିଆ ତେଲ । ନାମ ଲେଖା ହୋଇଛି ଶିବାନୀ । ଏମିତି ଏକ ନକଲି ନଡ଼ିଆ ତେଲ କାରଖାନା ଉପରେ ଚଢ଼ାଉ କରିଛି ବ୍ରହ୍ମପୁର ପୋଲିସ ।

ନଡିଆ ତେଲ ଆଣି ସେଥିରେ ଲିକ୍ୱିଡ ପାରାଫିନ ଓ ଅନ୍ୟାନ୍ୟ ପୋଡା ତେଲ ମିଶାଇ କରାଯାଉଛି ନଡ଼ିଆ ତେଲ । ନଡ଼ିଆ ତେଲର ବାସ୍ନା ପାଇଁ ମିଶାଯାଉଥିଲା ଏସେନ୍ସ । ଅର୍ଥାତ୍ ଅସଲି ନଡିଆ ତେଲ ଭଳି ବାସ୍ନା ବାହାରିବା ପାଇଁ ଏହି ଏସେନ୍ସ ମିଶାଯାଥିଲା । ଛୋଟ ଘର ଭିତରେ ଦୀର୍ଘ ବର୍ଷ ଧରି ଚାଲିଥିଲା ଏହି ନକଲି ତେଲ କାରଖାନା । କମ୍ପାନୀ ଏହାର ସୁରାକ ପାଇବା ପରେ ଲିଗାଲ ଟିମ୍ ପକ୍ଷରୁ ବଡ ବଜାର ଥାନାରେ କରାଯାଇଥିଲା ଅଭିଯୋଗ ।

ଅଭିଯୋଗ ପାଇବା ପରେ ପୋଲିସ ତଦନ୍ତ କରି ଶାସ୍ତ୍ରୀନଗର ଚତୁର୍ଥ ଲାଇନ୍ରୁ ଏହି ନକଲି ନଡ଼ିଆ ତେଲ କମ୍ପାନୀ ଠାବ କରିଛି । ବ୍ରାଣ୍ଡ, ଟ୍ରେଡମାର୍କ, ଅକ୍ଷର ଓ ଅନ୍ୟାନ୍ୟ ବିକ୍ରି ସମ୍ବନ୍ଧିତ ତଥ୍ୟ ଲୁଚାଇବା ଅଭିଯୋଗରେ ଚଢ଼ାଉ ହୋଇଥିଲା । ଏହି ଅଭିଯୋଗରେ ବାପପୁଅଙ୍କୁ ଗିରଫ କରିଛି ପୋଲିସ ।