ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଓ୍ବାୟନାଡ ଗସ୍ତ, କର୍ମୀଙ୍କ ସମାବେଶରେ ଦେବେ ଉଦବୋଧନ

1 min read

ଓ୍ୱାୟନାଡ଼: ଆଜି ଓ୍ୱାୟନାଡ ଯିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ମୋଦି ସରନେମ ମାମଲାରେ ସାଂସଦ ସଦସ୍ୟତା ରଦ୍ଦ ପରେ ଓ୍ୱାୟନାଡ଼ ଗସ୍ତରେ ପ୍ରଥମ ଥର ପାଇଁ ଯିବେ ରାହୁଲ ।  ଓ୍ବାୟନାଡର ପୂର୍ବତନ ସାଂସଦଙ୍କୁ ଭରପୂର ସ୍ବାଗତ କରିବା ଲାଗି ଜୋରଦାର ପ୍ରସ୍ତୁତି କରାଯାଇଛି । ରାହୁଲଙ୍କୁ ସ୍ବାଗତ କରିବା ଲାଗି କଂଗ୍ରେସ, ଆଇୟୁଏମଏଲ, କେରଳ କଂଗ୍ରେସ, କେସି-ଜେ, ଏନସିକେ ଆଦି ଦଳ ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଛି । ଓ୍ବାୟନାଡ ଅନ୍ତର୍ଗତ କାଲପେଟ୍ଟାରେ ସ୍ବାଗତ ସମ୍ବର୍ଦ୍ଧନା ଅବସରରେ ଏକ ସାଧାରଣ ସଭା ଓ ରୋଡ ସୋ’ର ଆୟୋଜନ କରାଯାଇଛି । ସାଧାରଣ ସଭା ଓ ରୋଡ ସୋ’ର ନେତୃତ୍ବ ନେବେ କେରଳ କଂଗ୍ରେସ ସଭାପତି କେ. ସୁଧାକରନ ।

ଏହି ସମାବେଶରେ ବହୁ ଏଆଇସିସି ସଦସ୍ୟ ଓ ରାଜ୍ୟସ୍ତରୀୟ ନେତା ଯୋଗ ଦେବେ । ସାଧାରଣ ସଭାରେ ଓ୍ବାୟନାଡ, କୋଝିକୋଡ, ମାଲାପୁରମ, ପଲକଡ, କାନ୍ନୁର ଓ କାସରଗୋଡ ଜିଲ୍ଲାର ହଜାର ହଜାର କର୍ମୀ ଯୋଗ ଦେବେ । ତେଣେ ରାହୁଲଙ୍କ ଦ୍ବାରା ଲେଖାଯାଇଥିବା ଏକ ଚିଠିକୁ ସାରା ଲୋକସଭା ନିର୍ବାଚନ ମଣ୍ଡଳୀରେ ଘରକୁ ଘର ବଣ୍ଟାଯାଉଥିବା ସୂଚନା ମିଳିଛି । କାହିଁକି ତାଙ୍କର ସଦସ୍ୟତା ଲୋପ ହେଲା, ସଂସଦରେ କ’ଣ ରହିଥିଲା ତାଙ୍କ ସଂଘର୍ଷ, କେନ୍ଦ୍ରର ମନମୁଖି ନୀତି ଆଦି ସମ୍ପର୍କରେ ଚିଠିରେ କରାଯାଇଛି ଉଲ୍ଲେଖ । ବିଜେପି ଓ ଆରଏସଏସ ବିରୋଧରେ ତାଙ୍କ ସଂଗ୍ରାମ ଜାରି ରହିବ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ରାହୁଲ ।