ପଞ୍ଜାବରେ ଭାରତ ଯୋଡୋ ଯାତ୍ରା, ଗୁରୁଦ୍ବାର ଫତେଗଡ଼ ସାହିବରେ ରାହୁଲଙ୍କ ପ୍ରାର୍ଥନା

1 min read

ଚଣ୍ଡିଗଡ଼: ପଞ୍ଜାବରେ ଜାରି ରହିଛି ଭାରତ ଯୋଡୋ ଯାତ୍ରା । ଗୁରୁଦ୍ବାର ଫତେଗଡ଼ ସାହିବରେ ପହଞ୍ଚି କଂଗ୍ରେସ ନେତା ରାହୁଲ ଗାନ୍ଧି କରିଛନ୍ତି ସ୍ମୃତି ତର୍ପଣ । ଆଜି ସକାଳେ ଶତାଧିକ କର୍ମୀଙ୍କ ସହ ରାହୁଲ ଗାନ୍ଧି ଗୁରୁଦ୍ବାର ପରିଦର୍ଶନ କରିଥିଲେ । ଟି-ସାର୍ଟ ପରିହତ ରାହୁଲ ପଗଡ଼ି ପିନ୍ଧି ଗୁରୁଦ୍ବାରରେ ପ୍ରାର୍ଥନା କରିଥିଲେ । ରାହୁଲଙ୍କ ସହ ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି ମୁଖ୍ୟ ଅମରିନ୍ଦର ସିଂ ରାଜା ଓ୍ବାରି ଓ ଅନ୍ୟାନ୍ୟ ନେତା ଗୁରୁଦ୍ବାର ଯାଇଥିଲେ । ଗତକାଲି ରାହୁଲ ଗାନ୍ଧି ଅମୃତସରସ୍ଥିତ ସ୍ବର୍ଣ୍ଣ ମନ୍ଦିରରେ ପ୍ରାର୍ଥନା କରିଥିଲେ ।

ଆଜି ପ୍ରବଳ ଶୀତ ସତ୍ତ୍ବେ ଶହ ଶହ କର୍ମୀ ଯାତ୍ରାରେ ସାମିଲ ହୋଇଥିଲେ । ଜଣେ କର୍ମୀ ଖୋଲା ଦେହରେ ଯାତ୍ରାରେ ଚାଲିଥିବା ପରିଲକ୍ଷିତ ହୋଇଛି । ଫତେଗଡ଼ ସାହିବ ପରେ ଏହି ଯାତ୍ରା ମଣ୍ଡି ଗୋବିନ୍ଦଗଡ଼, ଖାନ୍ନା, ସାହ୍ନେଓ୍ବାଲ, ଲୁଧିଆନା, ଗୋରାୟା, ଫଗଓ୍ବାରା, ଜଳନ୍ଧର, ଦାଉସା ଓ ମୁକେରିଆନ ଅତିକ୍ରମ କରିବ । ଗତ ସେପ୍ଟେମ୍ବର ୭ରୁ କନ୍ୟାକୁମାରୀଠାରୁ ଆରମ୍ଭ ହୋଇଥିବା ଯାତ୍ରା ଆସନ୍ତା ୩୦ ତାରିଖ ସୁଦ୍ଧା ଶ୍ରୀନଗରରେ ପହଞ୍ଚିବା ଲାଗି ତାରିଖ ଧାର୍ଯ୍ୟ କରାଯାଇଛି । ବର୍ତ୍ତମାନ ସୁଦ୍ଧା ଏହି ରାଲି ତାମିଲନାଡୁ, କେରଳ, କର୍ଣ୍ଣାଟକ,  ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ରାଜସ୍ଥାନ, ଦିଲ୍ଲୀ, ଉତ୍ତରପ୍ରଦେଶ ଓ ହରିଆଣାରେ ଯାତ୍ରା କାର୍ଯ୍ୟକ୍ରମ ସାରି ପଞ୍ଜାବରେ ପହଞ୍ଚିଛି ।