ଦୋଷୀ ସାବ୍ୟସ୍ତ ପରେ ରାହୁଲ ଗାନ୍ଧୀଙ୍କୁ ମିଳିଲା ଜାମିନ

ସୁରଟ: ମାନହାନି ମାମଲାରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ବେଲ । ଜାମିନ ପ୍ରଦାନ କରିଛନ୍ତି ସୁରଟ ଜିଲ୍ଲା କୋର୍ଟ। ମୋଦି ସାଙ୍ଗିଆକୁ ନେଇ ଦେଇଥିବା ବିବାଦୀୟ ବୟାନ ମାମଲାରେ ରାହୁଲଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ । ମାମଲାରେ ରାହୁଲଙ୍କୁ ୨ବର୍ଷ ଜେଲ ଦଣ୍ଡ ଶୁଣାଇଥିଲେ କୋର୍ଟ । ସୁରଟ ଜିଲ୍ଲା କୋର୍ଟଙ୍କ ରାୟକୁ ଉପର କୋର୍ଟରେ ଚ୍ୟାଲେଞ୍ଜ କରିପାରନ୍ତି ରାହୁଲ । କୋର୍ଟଙ୍କ ଫଇସଲା ବିରୋଧରେ ଉପର କୋର୍ଟରେ ଅପିଲ ପାଇଁ ୩୦ଦିନ ସମୟ ଦିଆଯାଇଛି । ୨୦୧୯ରେ ମୋଦି ସାଙ୍ଗିଆକୁ ନେଇ ରାହୁଲ ବିବାଦୀୟ ବିବୃତ୍ତି ଦେଇଥିଲେ।

ରାହୁଲଙ୍କ ବୟାନକୁ ବିରୋଧରେ ବିଜେପି ନେତା ପୂର୍ଣ୍ଣେସ ମୋଦି କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଆଇପିସି ଧାରା ୪୯୯ ଓ ୫୦୦ ଆଧାରରେ ରାହୁଲଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି । ଆଜି ସୁରଟ କୋର୍ଟରେ ମାମଲାର ଶୁଣାଣି ଥିବା ବେଳେ ରାହୁଲ କୋର୍ଟରେ ଉପସ୍ଥିତ ରହିଥିଲେ । ରାହୁଲଙ୍କ ସହ ଗୁଜରାଟ କଂଗ୍ରେସର ବହୁ ବଡ଼ ନେତା ଉପସ୍ଥିତ ରହିଥିଲେ । କୋର୍ଟଙ୍କ ରାୟ ପରେ ମହାତ୍ମା ଗାନ୍ଧୀଙ୍କ ଏକ ବାଣୀକୁ ନିଜ ସୋସିଆଲ ମିଡିଆରେ ରାହୁଲ ପୋଷ୍ଟ କରିଛନ୍ତି।

ସତ୍ୟ ମୋର ଧର୍ମ । ଅହିଂସା ଏହାକୁ ପାଇବାର ରାସ୍ତା ବୋଲି ଟୁଇଟ କରିଛନ୍ତି ରାହୁଲ । ସେପଟେ କୋର୍ଟଙ୍କ ରାୟ ପରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ରାହୁଲଙ୍କୁ ଚୁପ କରାଇବାକୁ ସରକାର କଳ, ବଳ କୌଶଳ ଲଗାଇ ଦେଇଛନ୍ତି । ମୋ ଭାଇ କେବେ ଡରିନାହାନ୍ତି, କି ଡରିବେ ନାହିଁ ବୋଲି ପ୍ରିୟଙ୍କା ଟୁଇଟ କରିଛନ୍ତି ।