ରାହୁଲ ଗାନ୍ଧିଙ୍କ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି, ଧଷେଇ ପସିଲା ଭିଡ଼

ଜମ୍ମୁ: ଜମ୍ମୁ କାଶ୍ମୀରରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ୋ ଯାତ୍ରା କାଳରେ ସୁରକ୍ଷା ବ୍ୟବସ୍ଥାରେ ବଡ଼ଧରଣର ତ୍ରୁଟି ପରିଲକ୍ଷିତ ହୋଇଛି। ଶୁକ୍ରବାର ଦିନ ଭିଡ଼ ରାହୁଲଙ୍କ ସୁରକ୍ଷା ଘେରକୁ ଭାଙ୍ଗି ତାଙ୍କ ପାଖକୁ ଚାଲି ଆସିଥିଲେ । ଯାହାକୁ ନେଇ ଶୁକ୍ରବାର ଦିନ ଯାତ୍ରାକୁ ଅଧାରେ ସ୍ଥଗିତ କରିବାକୁ ପଡ଼ିଥିଲା । ଯାତ୍ରା ସ୍ଥଗିତ ରଖାଯିବା ପରେ ରାହୁଲ ସାମ୍ବାଦିକ ସମ୍ମିଳନୀ କରି ପୋଲିସ ବିରୋଧରେ ଦାୟିତ୍ୱହିନତାର ଅଭିଯୋଗ ଆଣିଥିଲେ। ସେ କହିଥିଲେ ଯେ, ପୋଲିସର ସୁରକ୍ଷା ବ୍ୟବସ୍ଥା ଭାଙ୍ଗି ଯାଇଥିଲା । ଯେଉଁ ପୋଲିସ ଭିଡ଼କୁ କଣ୍ଟ୍ରୋଲ କରିବାକୁ ଆସିଥିଲେ ସେମାନେ ଘଟଣା ଘଟିବା ବେଳେ ପାଖରେ ନଥିଲେ କିମ୍ବା ସେଠାରୁ ଚାଲିଯାଇଥିଲେ ।

ରାହୁଲ କହିଥିଲେ ଯେ, ତାଙ୍କ ସହିତ ଥିବା ସୁରକ୍ଷାକର୍ମୀ ଆଉ ଅଧିକ ବାଟ ଚାଲି ପାରିବେ ନାହିଁ ବୋଲି କହିଥିଲେ । ଅନ୍ୟପକ୍ଷରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଯେ, ରାହୁଲଙ୍କ ସୁରକ୍ଷା ବ୍ୟବସ୍ଥା ଭାଙ୍ଗିବା ଚିନ୍ତାଜନକ । ଦେଶ ଆଗରୁ ଦୁଇ ଜଣ ପ୍ରଧାନମନ୍ତ୍ରୀଙ୍କୁ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ପାଇଁ ହରାଇଛି । ଆମେ କଡ଼ା ସୁରକ୍ଷା ବ୍ୟବସ୍ଥା ଚାହୁଁଛୁ ।

ସୂଚନାଯୋଗ୍ୟ ଯେ, ଯାତ୍ରା ଆଜି ଶ୍ରୀନଗରଠାରୁ ୩୩ କିଲୋମିଟର ଦୂରରେ ଥିବା ଅବନ୍ତିପୁରାରେ ପହଞ୍ଚିବ ।