ଗୁଲାମଙ୍କଠୁ ନେଇ ହିମନ୍ତଙ୍କ ପର୍ଯ୍ୟନ୍ତ, ଦଳ ଛାଡ଼ିଥିବା ନେତାଙ୍କୁ ଟାର୍ଗେଟ କଲେ ରାହୁଲ

1 min read

ନୂଆଦିଲ୍ଲୀ: ସଂସଦୀୟ ସଦସ୍ୟତା ରଦ୍ଦ ହେବା ପରେ ମଧ୍ୟ ରାହୁଲ ଗାନ୍ଧି ଚୁପ୍ ରହିନାହାନ୍ତି । ଲଗାତାର ଆଦାନୀ ପ୍ରସଙ୍ଗରେ କ୍ଷମତାସୀନ ବିଜେପିକୁ ଟାର୍ଗେଟ କରୁଛନ୍ତି । ଶନିବାର ରାହୁଲ ନିଜ ଟ୍ୱିଟରେ ପୂର୍ବତନ କଂଗ୍ରେସୀଙ୍କୁ ଟାର୍ଗେଟ କରିଛନ୍ତି, ଯେଉଁମାନେ କି ଏବେ ବିଜେପିରେ ଅଛନ୍ତି । ରାହୁଲ ଗାନ୍ଧିଙ୍କ ଟ୍ୱିଟରେ ଏକ ୱାର୍ଡ ପ୍ଲେ ପଜଲର ପଠୋ ଦେଖାଯାଇଛି । ଯାହାର ସେଣ୍ଟରରେ ଆଦାନୀ ଲେଖାଅଛି କିନ୍ତୁ ସେହି ଅକ୍ଷରଗୁଡ଼ିକରୁ ତାଙ୍କ ପୂରୁଣା ସାଥିଙ୍କ ନାଁ ମଧ୍ୟ ଲେଖା ଥିବା ଦେଖାଯାଇଛି ।

ନିଜ ଟ୍ୱିଟରେ ରାହୁଲ ଲେଖିଛନ୍ତି, ସତ ଲୁଚାଇଥାନ୍ତି, ସେଥିପାଇଁ ପ୍ରତିଦିନ ଭ୍ରମିତ କରିଥାନ୍ତି । ପ୍ରଶ୍ନ କେବଳ ଗୋଟିଏ- ଆଦାନୀ କମ୍ପାନୀରେ ୨୦ ହଜାର କୋଟି ବେଆଇନ ପଇସା କାହାର ଅଟେ? ଏହାପରେ ସେ ଏକ ଫଟୋ ମଧ୍ୟ ଆଟାଚ କରିଛନ୍ତି, ଯେଉଁଥିରେ ଆଦାନୀ ମଧ୍ୟ ଲେଖାଅଛି କିନ୍ତୁ ଏହି ଅକ୍ଷରଗୁଡ଼ିକୁ ନେଇ ଅନେକ ନାଁ ମଧ୍ୟ ଲେଖାଯାଇଛି । ଯେଉଁଥିରେ ଗୁଲାମ ନବୀ ଆଜାଦ, ସିନ୍ଧିଆ, କିରଣ କୁମାର ରେଡ୍ଡୀ, ହିମନ୍ତ ବିଶ୍ୱ ଶର୍ମା ଏବଂ ଅନିଲ ଆଣ୍ଟୋନୀଙ୍କ ନାଁ ସାମିଲ ରହିଛି ।

ପ୍ରକାଶ ଥାଉକି, କଂଗ୍ରେସ ସହ ଅନେକ ଦଶକ ପର୍ଯ୍ୟନ୍ତ ସାଥ ଦେଇଥିବା ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ସବୁଠୁ ପୂରୁଣା ଦଳର ବର୍ତ୍ତମାନ ନେତୃତ୍ୱ ଉପରେ ଅନେକ ପ୍ରଶ୍ନ ଉଠାଇଛନ୍ତି । ନିକଟରେ ହିଁ ତାଙ୍କ ଆତ୍ମକଥା ଲଞ୍ଚ୍ ହୋଇଥିଲା । ଏହାର ଇଭେଣ୍ଟ ପରେ ସାମ୍ବାଦିକ ସମ୍ମିଳନୀରେ ସେ ରାହୁଲ ଗାନ୍ଧିଙ୍କୁ ହିଁ ନିଜର କଂଗ୍ରେସ ଛାଡ଼ିବାର କାରଣ କହିଥିଲେ । ଆଜାଦ କହିଥିଲେ ଯେ କାହିଁକି ଅନେକ କଂଗ୍ରେସୀ ରାହୁଲ ଗାନ୍ଧିଙ୍କ ପାଇଁ କଂଗ୍ରେସ ଛାଡ଼ିଛନ୍ତି । ଆଦାନୀର ‘D’ଅକ୍ଷରକୁ ନେଇ ରାହୁଲ ନିଜର ଦିନେ ଘନିଷ୍ଠ ଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି ।

କେନ୍ଦ୍ର ମନ୍ତ୍ରୀ ସିନ୍ଧିଆଙ୍କ ପରିବାର ସହ ଗାନ୍ଧି ପରିବାରର ବନ୍ଧୁତା ଦୁଇ ପୀଢି ହେବ ରହିଥିଲା କିନ୍ତୁ ମାର୍ଚ୍ଚ ୨୦୨୦ରେ ସିନ୍ଧିଆ ବିଜେପିରେ ସାମିଲ ହୋଇଯାଇଥିଲେ । ବନ୍ଧୁତା କମଜୋର ହୋଇଯାଇଥିଲା ସତ ହେଲେ ସିନ୍ଧିଆ କେବେ ବି ରାହୁଲଙ୍କୁ ସିଧାସଳଖ ଟାର୍ଗେଟ କରିନାହାନ୍ତି । ଏମିତିକି ରାହୁଲଙ୍କ ବୟାନକୁ ମଧ୍ୟ କଂଗ୍ରେସର ଅନ୍ତରୀଣ ମାମଲା କହି ସିନ୍ଧିଆ କଥାକୁ ଏଡ଼ାଇ ଦେଇଥାନ୍ତି । ହେଲେ ଶୁକ୍ରବାର ଗ୍ୱାଲିୟରରେ ଏକ ମଞ୍ଚରୁ ସିନ୍ଧଆ ରାହୁଲ ଗାନ୍ଧି ଏବଂ କଂଗ୍ରେସକୁ ଆକ୍ରମଣ କରିଥିଲେ । ସେ କହିଥିଲେ ଯେ କଂଗ୍ରେସ ପାଖରେ ଏବେ କେବଳ ଗୋଟିଏ ବିଚାରଧାରା ବଞ୍ଚିଛି ଯାହା କି ଦେଶଦ୍ରୋହୀର ଅଟେ, ଏକ ବିଚାରଧାରା ଯାହା ଦେଶ ବିରୋଧରେ କାମ କରୁଛି । ତେବେ ତାଙ୍କର ଏହି ବୟାନ ପରେ ରାହୁଲଙ୍କ ଆଦାନୀ ଲେଖା ଆସିଛି ।

ଗୁଲାମ ନବୀ ଆଜାଦ ଏବଂ ସିନ୍ଧିଆଙ୍କ ଉପରେ ଆକ୍ରମଣ ପରେ ରାହୁଲ ଗାନ୍ଧିଙ୍କ ଟାର୍ଗେଟରେ ଆସିଛନ୍ତି ପୂର୍ବତନ କଂଗ୍ରେସ ନେତା କିରଣ କୁମାର ରେଡ୍ଡୀ । ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କିରଣ କୁମାର ରେଡ୍ଡୀ ଶୁକ୍ରବାର ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି । କିଛି ଦିନ ପୂର୍ବେ ହିଁ ସେ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ଦଳ ଛାଡ଼ିବା ସହ ସେ କହିଥିଲେ ମୁଁ କେବେ ବି ଭାବିନଥିଲି ଯେ କଂଗ୍ରେସ ଛାଡି଼ବାକୁ ପଡ଼ିବ ବୋଲି । କଂଗ୍ରେସର ମୋର ସମ୍ପର୍କ ବହୁତ ପୂରୁଣା । ଦଳ ନେତୃତ୍ୱଙ୍କ ଭୁଲ ନୀତି କାରଣରୁ ପାର୍ଟି ଲଗାତାର ରଶାତଳକୁ ଯାଉଛି । କାର୍ଯ୍ୟକର୍ତ୍ତାଙ୍କ କଥାକୁ ଶୁଣାଯାଉନି ଏବଂ ଏହା କେବଳ ଗୋଟିଏ ରାଜ୍ୟର କାହାଣୀ ନୁହେଁ ସବୁ ରାଜ୍ୟରେ ଏହି ଭଳି ସ୍ଥିତି ରହିଛି । ବିଜେପି ଜଏନ କରିବାର ଆଗାମୀ ଦିନ ହିଁ ସେ ରାହୁଲ ଗାନ୍ଧିଙ୍କ ଟାର୍ଗେଟକୁ ଆସିଛନ୍ତି ଏବଂ ୱାର୍ଡ ପ୍ଲେ ପଜଲରେ ତାଙ୍କ ନାଁ ସାମିଲ ହୋଇଛି ।

ପୂର୍ବୋତ୍ତରରେ କଂଗ୍ରେସର ପତାକାକୁ ଆଗରେ ରଖିବାରେ ହିମନ୍ତ ବିଶ୍ୱ ଶର୍ମାଙ୍କ ଯୋଗଦାନ ସବୁବେଳେ ଗୁରୁତ୍ୱପୂର୍ଣ୍ଣ ରହିଥିଲା । ୨୦୧୧ରେ ଆସାମରେ କଂଗ୍ରେସ ତାଙ୍କରି ନେତୃତ୍ୱରେ ସରକାର ଗଠନ କରିଥିଲା, କିନ୍ତୁ ହିମନ୍ତଙ୍କୁ ସେହି ସମ୍ମାନ ମିଳିନଥିଲା ଯାହା ପାଇଁ ସେ ହକଦାର ଥିଲେ । ସେ ରାହୁଲ ଗାନ୍ଧିଙ୍କ ଉପରେ ଅନେକ ଥର ଭେଟିବା ପାଇଁ ସମୟ ନଦେବାର ଆରୋପ ମଧ୍ୟ ଲଗାଇଥିଲେ । ପରେ ସେ ୨୦୧୫ରେ ବିଜେପିରେ ଯୋଗ ଦେଇଥିଲେ ଏବଂ ବର୍ତ୍ତମାନ ସେ ଆସାମର ମୁଖ୍ୟମନ୍ତ୍ରୀ ଅଛନ୍ତି । ସେ ରାହୁଲ ଗାନ୍ଧିଙ୍କ ଉପରେ ବାକ୍ ଆକ୍ରମଣ କରିବାରେ କୌଣସି ବି ମଉକା ଛାଡ଼ିନଥାନ୍ତି । ରାହୁଲ ଏହି କାରଣରୁ ତାଙ୍କ ନାଁ ମଧ୍ୟ ନିଜ ଟ୍ୱିଟରେ ସାମିଲ କରିଛନ୍ତି ।

ସବୁଠୁ ଶେଷରେ ରାହୁଲ ଗାନ୍ଧି ADANIରୁ ‘I’ ଅକ୍ଷରକୁ ନେଇ ଅନିଲ ଲେଖିଛନ୍ତି । ଏହା ଜରିଆରେ ସେ ନିକଟରେ ବିଜେପିରେ ସାମିଲ ହୋଇଥିବା ଅନିଲ ଆଣ୍ଟୋନୀଙ୍କ ଆଡ଼କୁ ଇସାରା କରିଛନ୍ତି । କଂଗ୍ରେସର ବରିଷ୍ଠ ନେତା ଏବଂ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଏକେ ଆଣ୍ଟୋନୀଙ୍କ ପୁଅ ଅନିଲ ଆଣ୍ଟୋନୀ ଗୁରୁବାର ବିଜେପିରେ ସାମିଲ ହୋଇଥିଲେ । ଗତ ଜାନୁଆରୀରେ ସେ ଦଳରୁ ଇସ୍ତଫା ଦେଇଥିଲେ । ପ୍ରଧାନମନ୍ତ୍ରୀଙ୍କ ଉପରେ ନିର୍ମିତ ବିବାଦୀୟ ବିବିସିର ଡକ୍ୟୁମେଣ୍ଟ୍ରୀକୁ ବିରୋଧ କରି ଦଳ ଟାର୍ଗେଟକୁ ଆସିଯାଇଥିଲେ ।

ଡକ୍ୟୁମେଣ୍ଟ୍ରୀକୁ ବିରୋଧ କରି କରିଥିବା ଟ୍ୱିଟକୁ ମଧ୍ୟ ଡିଲିଟ କରିବା ପାଇଁ ତାଙ୍କ ଉପରେ ଚାପ ପକାଯାଇଥିଲା ହେଲେ ସେ ଦଳରୁ ଇସ୍ତଫା ଦେଇ ଦେଇଥିଲେ । ଏବଂ ଏବେ ବିଜେପିରେ ସାମିଲ ହୋଇଯାଇଛନ୍ତି । ସେଥିପାଇଁ ସେ ରାହୁଲଙ୍କ ଟାର୍ଗେଟରେ ଆସିଯାଇଛନ୍ତି । ସୂଚନା ଥାଉକି, ଗତ ମାସରେ ଗୁଜୁରାଟର ସୁରଟ କୋର୍ଟ ମୋଦୀ ସରନେମ ମାମଲାରେ ରାହୁଲ ଗାନ୍ଧିଙ୍କୁ ୨ ବର୍ଷ ଜେଲଦଣ୍ଡାଦେଶ ଶୁଣାଇଥିଲେ । ଅବଶ୍ୟ ଏହାପରେ ତାଙ୍କୁ ଜାମିନ ମିଳିଯାଇଥିଲା । କୋର୍ଟଙ୍କ ରାଏ ପରେ ତାଙ୍କର ସଂସଦୀୟ ସଦସ୍ୟତା ରଦ୍ଦ କରାଯାଇଥିଲା ।