ବାଚସ୍ପତିଙ୍କୁ ରାହୁଲଙ୍କ ଅଭିଯୋଗ, ମୋଦିଙ୍କ ସହ ହାତ ମିଶାଇବାବେଳେ କାହିଁକି ହୁଅନ୍ତି ନତମତସ୍କ

ନନ୍ଦିଘୋଷ ବ୍ୟୁରୋ: ଗୃହରେ ଜାରି ରହିଛି ହଙ୍ଗାମା । ବିରୋଧୀଙ୍କ ପ୍ରଶ୍ନବାଣରେ ଘାଇଲା ହେଉଛନ୍ତି ସରକାର । ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଗୋଟିଏ ପରେ ଗୋଟିଏ ପ୍ରଶ୍ନବାଣ ଛାଡ଼ୁଥିବା ଦେଖିବାକୁ ମିଳୁଛି । ତେବେ ବାଚସ୍ପତିଙ୍କ ନାମରେ ଅଭିଯୋଗ ଆଣିଛନ୍ତି ରାହୁଲ । ସେ ବାଚସ୍ପତି ଓମ୍ ବିର୍ଲାଙ୍କୁ କହିଛନ୍ତି କି, ଆପଣ ମୋ ସହ ହାତ ମିଶାଇବାବେଳେ ସିଧା ଛିଡ଼ା ହୋଇ ହାତ ମିଳାନ୍ତି । ମାତ୍ର ନରେନ୍ଦ୍ର ମୋଦିଙ୍କ ସହ ହାତ ମିଶାଇବା ବେଳେ କାହିଁକି ନତମତସ୍କ ହୁଅନ୍ତି । ରାହୁଲଙ୍କ ଏହି ବିବୃତିରେ ବିତରୋଧୀ ଦଳର ସାଂସଦମାନେ ସମର୍ଥନ କରିଥିଲେ । ସେପଟେ ରାହୁଲଙ୍କ ପ୍ରଶ୍ନର ଉତ୍ତର ରଖି ବାଚସ୍ପତି କହିଥିଲେ କି, ମୋ ସଂସ୍କାର ଅନୁଯାୟୀ, ମୋଠାରୁ ଯିଏ ବଡ଼ ମୁଁ ତାଙ୍କୁ ସମ୍ମାନ ଜଣାଇଥାଏ । ଆଉ ଯିଏ ମୋ ସମସ୍କନ୍ଦ ମୁଁ ତାଙ୍କ ସହ ସିଧା ହାତ ମିଶାଇଥାଏ ।

ତେବେ ବାଚସ୍ପତିଙ୍କ ଏହି ବିବୃତି ପରେ ରାହୁଲ ଗାନ୍ଧି କହିଥିଲେ କି, ଆମେ ଆପଣଙ୍କ କଥାକୁ ସମ୍ମାନ ଦେଉଛି । ତେବେ ଏହି ଗୃହରେ ଆପଣଙ୍କଠାରୁ ବା ବଡ଼ କିଏ? ଏଣୁ ମୋ ସହ ସମସ୍ତ ବିରୋଧୀ ଦଳର ସାଂସଦମାନେ ମଧ୍ୟ ଆପଣଙ୍କ ସମ୍ମୁଖରେ ନତମତସ୍କ ହେବେ । ତେବେ ଆପଣ ଏହି ଗୃହର ମୁଖ୍ୟ ହୋଇଥିବାବେଳେ ଆପଣଙ୍କ ସମ୍ମୁଖରେ ସମସ୍ତେ ନତମତସ୍କ ହେବା ଉଚିତ । ଆପଣ କାହା ସାମନାରେ ପ୍ରଣାମ କରିବା ଉଚିତ୍ ନୁହେଁ । ଗୃହରେ ଆପଣ ସମସ୍ତଙ୍କୁ ସମାନ ନଜରରେ ଦେଖନ୍ତୁ ଏବଂ ସମାନ ବ୍ୟବହାର କରିବା ଉଚିତ ।