ଆମେରିକାର ଆକ୍ରମଣରେ ଖଣ୍ଡ ବିଖଣ୍ଡିତ ସୋଲେମାନୀଙ୍କ ଶରୀର: ଜାଣନ୍ତୁ କେମିତି ଚିହ୍ନଟ ହେଲା ମୃତଦେହ

ମୁଦିରୁ ଚିହ୍ନଟ ହେଲା ମୃତଦେହ । ଇରାନୀ ରିଭୋଲ୍ୟୁସନାରୀ ଗାଡର୍ସ କମାଣ୍ଡର ଜେନେରାଲ୍‌ କସିମ୍‌ ସୋଲିମାନୀଙ୍କ ମୃତଦେହକୁ ସେ ପିନ୍ଧୁଥିବା ମୁଦିରୁ ଚିହ୍ନଟ କରାଯାଇଛି । ବାଗଦାଦ୍‌ସ୍ଥିତ ଅନ୍ତର୍ଜାତୀୟ ଏୟାରପୋର୍ଟରେ ଆମେରିକା ପକ୍ଷରୁ କରାଯାଇଥିବ ରକେଟ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଥିଲା । ଡ୍ରୋନ୍ ଦ୍ୱାରା ଏହି ଆକ୍ରମଣ କରାଯାଇଥିବା ଜଣେ ୟୁଏସ୍‌ ଅଧିକାରୀ କହିଛନ୍ତି ।

ମୁଦି ପିନ୍ଧିଥିବା ତାଙ୍କ ମୃତଦେହର ଏକ ଭିଡିଓକୁ  ଇରାକ୍‌ର ଜଣେ ସାମ୍ବାଦିକ ସୋସିଆଲ୍‌ ମିଡିଆରେ ସେୟାର କରିଛନ୍ତି । ସିରିୟା କିମ୍ବା ଲିବେନାନ୍‌ରୁ ଫେରିଥିବା ବିମାନରୁ ବାଗଦାଦ୍‌ ଅନ୍ତର୍ଜାତୀୟ ବିମାନବନ୍ଦର ଓହ୍ଲାଇବା ପରେ ତାଙ୍କ ଉପରେ ଆକ୍ରମଣ ହୋଇଥିବା ଇରାକ୍‌ର ଜଣେ ସୁରକ୍ଷା ଅଧିକାରୀ କହିଛନ୍ତି  ।

ଏହି ଆକ୍ରମଣରେ ସୋଲିମାନୀଙ୍କ ସହ ଆଉ ୮ଜଣ ନିହତ ହୋଇଛନ୍ତି । ନିହତଙ୍କ ମଧ୍ୟରେ ଇରାକ୍‌ର ଉଗ୍ରବାଦୀ ସଂଗଠନ  କତାଇବ୍‌ ହିଜବୁଲ୍ଲାର ଡେପୁଟୀ କମାଣ୍ଡର ଅବୁ ମେହଦି ମଧ୍ୟ ରହିଛନ୍ତି । ଆକ୍ରମଣ ଫଳରେ ସମସ୍ତଙ୍କ ଶରୀର ଖଣ୍ଡ ବିଖଣ୍ଡିତ ହୋଇଯାଇଛି ।

ଇରାନ୍‌ ଷ୍ଟେଟ୍‌ ଟିଭ୍‌ର କହିବାନୁଯାୟୀ ରକେଟ୍‌ ଆକ୍ରମଣରେ ୧୦ ଜଣଙ୍କ ମୃତ୍ୟୁ ଘଟିଛି । ସେମାନଙ୍କ ମଧ୍ୟରେ ୫ ଜଣ ରିଭୋଲ୍ୟୁସନାରୀ ଗାର୍ଡସ୍‌ର ସଦସ୍ୟ । ଏଥିସହ ସୋଲେମାନୀଙ୍କ ଜାମାତା ମଧ୍ୟ ନିହତ ହୋଇଛନ୍ତି ।

ଅପରପକ୍ଷରେ ସୋଲେମାନୀ ଆମେରିକୀୟଙ୍କୁ ହତ୍ୟା କରିବା ନେଇ ଷଡ଼ଯନ୍ତ୍ର କରୁଥିଲେ । ଏବଂ ହଜାର ହଜାର ସଂଖ୍ୟାରେ ଆମେରିକୀୟଙ୍କ ହତ୍ୟା ପଛରେ ସେ ପ୍ରତକ୍ଷ୍ୟ ଓ ପରୋକ୍ଷଭାବେ ଜଡ଼ିତ ବୋଲି ଟ୍ୱିଟ୍‌ କରି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏଭଳି ଆକ୍ରମଣ ଲାଗି ସେ ନିର୍ଦ୍ଦେଶ ଦେଇଥିଲେ ବୋଲି କହିଛନ୍ତି । ବହୁ ଆଗରୁ ଏଭଳି କରିବାର ଥିଲା ବୋଲି ଟ୍ରମ୍ପ କହିଛନ୍ତି ।

Leave a Reply