ସୁବର୍ଣ୍ଣପୁରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ପାଇପ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁରରେ ଭୟାବହ ଅଗ୍ନିକାଣ୍ଡ । ଡୁଙ୍ଗୁରିପାଲି ଲଙ୍ଗଳକଟା ରାସ୍ତା କଡ଼ରେ ଥିବା ଜୁବେରି ଇଞ୍ଜିନିୟରିଂ କମ୍ପାନୀର ପ୍ଲାଷ୍ଟିକ ପାଇପ ଗଦାରେ ଲାଗିଲା ନିଆଁ । ନିଆଁ ଲାଗିବାରୁ ପୂରା ଅଞ୍ଚଳ ଧୂଆଁମୟ ହୋଇଛି । ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି । ଧିରେ ଧିରେ ନିଆଁ ବ୍ୟାପିବାରେ ଲାଗିଛି । ଅଗ୍ନିକାଣ୍ଡ ପାଇଁ ଲୋକଙ୍କ ଯାତାୟତ ବାଧାପ୍ରାପ୍ତ ହେଉଛି । ଲଙ୍ଗଳକଟା ଗାଁର ଚାଷଜମି ଗୁଡ଼ିକରେ ମେସିନ ସାହାଯ୍ୟରେ ଧାନ କାଟି ସାରିବା ପରେ ପଡ଼ିରହିଥିବା ପାଳ ଗଦା ଗୁଡ଼ିକରେ ଅମାନିଆ ଲୋକ ନିଆଁ ଲଗାଇ ଦେଇଥିଲେ । ଫଳରେ ଚାଷ ଜମିରୁ ନିଆଁ ଆସି ପାଇପ ଗଦାରେ ଲାଗି ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ନିଆଁକୁ ଆୟତ୍ତ କରିବା ପାଇଁ ରାମପୁର ଅଗ୍ନିଶମ କର୍ମଚାରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଏହି ଅଗ୍ନିକାଣ୍ଡ ଲକ୍ଷାଧିକ ଟଙ୍କାର ପ୍ଲାଷ୍ଟିକ ପାଣି ପାଇପ ପୋଡ଼ି ଯାଇଥିବା ଅନୁମାନ କରାଯାଉଛି  ।