ଦେବଭୂମୀର ମୁଖ୍ୟମନ୍ତ୍ରୀ ହେବେ ପୁଷ୍କର ସିଂ ଧାମି, ସନ୍ଧ୍ୟାରେ ଶପଥ

ଡ଼େରାଡୁନ: ଉତ୍ତରାଖଣ୍ଡରେ ଚାଲିଥିବା ରାଜନୈତିକ ବାଦିପାଲା ବନ୍ଦ ହେବାକୁ ଯାଉଛି  । କାରଣ ଗତ କାଲି ମୁଖ୍ୟମନ୍ତ୍ରୀ ପଦରୁ ତୀରଥ ସିଂ ରାୱତ ଇସ୍ତଫା ଦେବାପରେ ସଙ୍କଟ ଦେଖାଦେଇଥିଲା  । ଏବେ ଏହି ସଙ୍କଟ ଏକ ପ୍ରକାର ଟଳିବାକୁ ବସିଛି  । ଦେବଭୂମିର ନୂଆ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ପୁଷ୍କର ସିଂ ଧାମି  । ବିଜେପି ବିଧାୟକ ଦଳ ବୈଠକରେ ପୁସ୍କର ସିଂ ଧାମୀଙ୍କ ନାଁ ଘୋଷଣା କରାଯାଇଛି  । ପୁସ୍କରଙ୍କ ନାଁ ପ୍ରସ୍ତାବ ରଖିଥିଲେ ବିଦାୟୀ ମୁଖ୍ୟମନ୍ତ୍ରୀ ତୀରଥ ସିଂ ରାଓ୍ବତ । ସର୍ବସମ୍ମତି କ୍ରମେ ପୁସ୍କରଙ୍କ ନାଁରେ ମୋହର ମରାଯାଇଛି  ।

ସୂଚନା ମୁତାବକ ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ପୁଷ୍କର । ଉତ୍ତରାଖଣ୍ଡର ଖଟୀମା ଆସନରୁ ଏବେ ବିଧାୟକ ଅଛନ୍ତି ପୁଷ୍କର । ପୂର୍ବରୁ ବିଜେପି ଯୁବମୋର୍ଚ୍ଚାର ଅଧ୍ୟକ୍ଷ ଥିଲେ ପୁଷ୍କର ସିଂ ଧାମି । ଗତକାଲି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ତୀରଥ ସିଂ ରାଓ୍ବତ  । ସାମ୍ବିଧାନିକ କାରଣ ପାଇଁ ସେ ଇସ୍ତଫା ଦେଇଥିବା ଇସ୍ତଫାପତ୍ରରେ ଦର୍ଶାଇଥିଲେ  । ମୁଖ୍ୟମନ୍ତ୍ରୀ ହେବା ପରେ ୬ ମାସ ମଧ୍ୟରେ ବିଧାନସଭାକୁ ନିର୍ବାଚିତ ହେବାର ନିୟମ ରହିଛି । ତେବେ ଧାରା ୧୫୧ ଅନୁସାରେ ଯଦି କୌଣସି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଏକ ବର୍ଷରୁ କମ ସମୟ ଥାଏ ସେହି ରାଜ୍ୟରେ ଆଉ ଉପନିର୍ବାଚନ ହୋଇପାରିବ ନାହିଁ । ଏଣୁ ତୀରଥ ଇସ୍ତଫା ଦେଇଥିବା କହିଛନ୍ତି  ।

ସେପଟେ ତୀରଥଙ୍କୁ ନେଇ ଦଳୀୟ କନ୍ଦଳ ମଧ୍ୟ ଲାଗି ରହିଥିଲା , ଏଭଳିସ୍ଥିତିରେ ଆସନ୍ତାବର୍ଷ ଆରମ୍ଭରୁ ବିଧାନସଭା ନିର୍ବାଚନ ହେଉଥିବାରୁ ବିଜେପି ହାଇକମାଣ୍ଡ ତୀରଥଙ୍କୁ ନେଇ କୌଣସି ରିସ୍କ ନେବାକୁ ଚାହୁଁନଥିବା ଚର୍ଚ୍ଚା ହେଉଛି  । ଗତ ଏପ୍ରିଲ୍ ମାସରେ ତ୍ରିବେନ୍ଦ୍ର ସିଂ ରାଓ୍ବତଙ୍କ ସ୍ଥାନରେ ମୁଖ୍ୟମନ୍ତ୍ରୀ ହୋଇଥିଲେ ତୀରଥ ସିଂ ରାଓ୍ବତ  । ୧୧୫ ଦିନ ଧରି ମୁଖ୍ୟମନ୍ତ୍ରୀ ହୋଇଥିବା ତୀରଥ ଅନେକ ପ୍ରସଙ୍ଗରେ ବିବାଦୀୟ ବୟାନ ଦେଇ ବେସ ଚର୍ଚ୍ଚାରେ ଥିଲେ  । ଗତକାଲି ବିଜେପି ରାଷ୍ଚ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ବିଜେପିର କେନ୍ଦ୍ରୀୟ ନେତାଙ୍କ ସହ ଆଲୋଚନା କରିବା ପରେ ଇସ୍ତଫା ପତ୍ର ରାଜ୍ୟପାଳଙ୍କୁ ପଠାଇଥିଲେ  ।

Leave a Reply