ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସୁନାବେଶରେ ଲାଗି ହେଲା ଭଙ୍ଗା କିରୀଟ

ପୁରୀ: ପବିତ୍ର ସୁନାବେଶରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଲାଗି ହୋଇଛି ଭଙ୍ଗାର ସୁନା କିରୀଟ । ବିଶ୍ୱ ନିୟନ୍ତା କାଳିଆ ଠାକୁର ବୁଧବାର ଭଙ୍ଗା କିରୀଟ ପିନ୍ଧିଛନ୍ତି । ଯାହା ସାଧାରଣ ଭକ୍ତଙ୍କୁ ବ୍ୟତୀତ କରିଛି । ସେବାୟତଙ୍କ ଠାରୁ ଭକ୍ତ, ଏହି ଘଟଣା ଜାଣିବା ପରେ ବିରୋଧର ସ୍ୱର ଉଠିଛି । କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା, ତାହାର ତଦନ୍ତ ଦାବି କରିଛନ୍ତି ଭକ୍ତ ମହଲ । ଯେଉଁଠି ମହାପ୍ରଭୁଙ୍କ ଅଳଙ୍କାର ମରାମତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି, ସେଠି ସୁନାବେଶରରେ ଭଙ୍ଗା ସୁନା କିରୀଟ ଲାଗି ହେବା ଘଟଣାକୁ ଭକ୍ତ ମହଲ ବି ସହଜରେ ହଜମ କରିପାରୁନାହାନ୍ତି । ବୁଧବାର ଅପରାହ୍ଣରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହ ବଡ଼ଠାକୁର ଶ୍ରୀବଳଭଦ୍ର ଓ ମା’ ସୁଭଦ୍ରାଙ୍କ ପାଇଁ ଏକକାଳୀନ ସୁବର୍ଣ୍ଣ ଅଳଙ୍କାର ଶ୍ରୀମନ୍ଦିର ରତ୍ନ ଭଣ୍ଡାରରୁ ଆସିଥିଲା । ଆସିବା ସମୟରେ ମହାପ୍ରଭୁଙ୍କ କିରୀଟ ସମ୍ପୂର୍ଣ୍ଣ ଅକ୍ଷତ ଥିଲା । ସୁନାର ଦୁଇଟି ହାତୀ ମୁଣ୍ଡ ଓ ୨୧ଟି ସୁନାର ପାଖୁଡ଼ା କିରୀଟରେ ଲାଗିଥିଲା । କିରୀଟର ଦୁଇ ପାର୍ଶ୍ୱରେ ଅର୍ଥାତ ପାଖୁଡ଼ାର ଶେଷ ଦୁଇ ପାର୍ଶ୍ୱରେ ହାତୀ ମୁଣ୍ଡ ରହିଥିଲା । କିନ୍ତୁ ମହାପ୍ରଭୁଙ୍କ ଲାଗି ପରେ ସୁନାର ଦୁଇଟି ହାତୀ ମୁଣ୍ଡ ଓ ସୁନାର ୨୦ଟି ପାଖୁଡ଼ା ରହିଥିବା ଦେଖିବାକୁ ମିଳିଛି । ବାମ ପାର୍ଶ୍ୱରୁ ହାତୀ ମୁଣ୍ଡ ପରେ ସୁନାର ତୃତୀୟ ପାଖୁଡ଼ା ଗାଏବ ଥିବା ଦେଖିବାକୁ ମିଳିଛି । ଯାହା ଏବେ ବିରାଟ ପ୍ରଶ୍ନ ଠିଆ କରିଛି । କିରୀଟର ଏହି ଭଙ୍ଗା ସ୍ଥାନକୁ ଲୁଚାଇବା ପାଇଁ ଏଥିରେ ମଲ୍ଲି ଫୁଲର ମାଳ ଲଗାଯାଇଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ଏହି ଭଙ୍ଗା ସୁନା ପାଖୁଡ଼ା କୁଆଡ଼େ ଗଲା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଏଥିସହିତ ପଢ଼ନ୍ତୁ: ସେଲ୍‌ଫି ନେବା ବେଳେ ବୈତରଣୀ ନଦୀରେ ଭାସିଯାଇ ଜଣେ ନିଖୋଜ

Leave a Reply