ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ପୁରୀ: ପୁରୀ ଯାଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ । ଯଜ୍ଞ ସ୍ଥଳ, ଯାତ୍ରୀ ପରିକ୍ରମା ଚତୁଃପାର୍ଶ୍ଵ ଓ ଶ୍ରୀ ମାର୍ଗ କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି। ୧୧ ତାରିଖ ସୁଦ୍ଧା ଓବିସିସି ଯାତ୍ରୀ ପରିକ୍ରମା କାମ ସାରି ହସ୍ତାନ୍ତର କରିବ। ଆବର୍ଜନା ସଫେଇ କାର୍ଯ୍ୟ ଆରମ୍ଭ ହୋଇଥିହବାବେଳେ ଅଗ୍ନିଶମ ବିଭାଗ ପକ୍ଷରୁ ଜଳ ସିଞ୍ଚନ କରାଯିବ । ମୁଖ୍ୟ ଶାସନ ସଚିବଙ୍କ ସହ ଜିଲ୍ଲାପାଳ , ଟାଟା, ଓବିସିସି ଅଧିକାରୀ ପ୍ରକଳ୍ପର ଟିକନିଖ ସମୀକ୍ଷା କରିଛନ୍ତି । ମୁଖ୍ୟ ଶାସନ ସଚିବ କହିଛନ୍ତି,  ପୂର୍ବ ସମୀକ୍ଷାର ୩ ଦିନ ପରେ କାର୍ଯ୍ୟର ବେଶ ଅଗ୍ରଗତି ହୋଇଛି । ୮୦୦ ମିଟର ଶ୍ରୀମାର୍ଗରେ ଫେଭର ବ୍ଲକ ପକାଯାଉଛି। ୮୦୦ ମିଟର ମଧ୍ୟରୁ ୩୦୦ ମିଟର ରାସ୍ତା ସମସ୍ୟା ରହିଛି ।

ଭୂତଳ କେବଲିଂ ,ପାଇପ ୱାଟର ପକା କାର୍ଯ୍ୟ ସରିଥିବାରୁ ଶ୍ରୀ ମାର୍ଗ ସରିବା ନେଇ ଦୃଢ଼ ଆଶା ରହିଛି। ଦିନ ରାତି ଏକ କରି  କାମ ସଂପୂର୍ଣ୍ଣ ପାଇଁ ଅଧିକ କର୍ମଚାରୀ ନିୟୋଜିତ ହେବେ । ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ଲାଗିଛି ୯ ଟି ସ୍ଲାଇଡିଂ ଡୋର । ଏବେ ଏହା ମନୁଷ୍ୟ କୃତ ଭାବେ ପରିଚାଳିତ ହେବ। ପରେ ଏହାର ପରିଚାଳନା ଦାୟିତ୍ଵ ପୋଲିସ ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ହାତରେ ରହିବ । ଶ୍ରୀସେତୁର ସ୍ବାଗତ ତୋରଣ ପ୍ରଥମେ ପରୀକ୍ଷଣ କରାଯିବ । ସୁରକ୍ଷା ଓ ନିରାପତ୍ତା ରିପୋର୍ଟ ଠିକ୍ ଆସିଲେ ପୂର୍ଣ୍ଣ ସ୍ବାଗତ ତୋରଣ ନଚେତ୍ ବୈଷୟିକ କମିଟିର ସହାୟତା ନେଇ ଗୋଟିଏ ଫାଳ ଖୋଲାଯିବ। ପୁରୀର ଅନେକ ପରିବର୍ତନ ହୋଇଛି । ଆହୁରି ଅନେକ ପ୍ରକଳ୍ପ କାମ ଚାଲିଛି । ବଡ଼ଦାଣ୍ଡର ରୂପ ରେଖ ବଦଳିଛି ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।