ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିରୋଧୀଙ୍କୁ ପୁରୀବାସୀ ବିରୋଧ କରିବେ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ବିରୋଧ ବରଦାସ୍ତ କରାଯିବ ନାହିଁ । ବିରୋଧୀଙ୍କୁ ବିରୋଧ କରିବେ ପୁରୀବାସୀ । ଏଭଳି କିଛି ଚେତାବନୀ ଦେଇଛନ୍ତି ପୁରୀର ବୁଦ୍ଧିଜୀବୀ ଓ ପୁରୀବାସୀ । ଆସନ୍ତାକାଲି ହେବାକୁ ଥିବା ପଦଯାତ୍ରା ନକରିବାକୁ ଅନୁରୋଧ କରାଯାଇଛି ।

ଗଜପତି ମହାରାଜ ମଧ୍ୟ ମହାପ୍ରଭୁଙ୍କ କାର୍ଯ୍ୟରେ ବାଧା ସୃଷ୍ଟି ନକରିବାକୁ ପଦଯାତ୍ରା କରୁଥିବା ସଂଗଠନକୁ ପରାମର୍ଶ ଦେଇଛନ୍ତି । ଐତିହ୍ୟ ପ୍ରକଳ୍ପ ଶ୍ରୀମନ୍ଦିରର ସୁରକ୍ଷା ଓ ଭକ୍ତଙ୍କ ସୁବିଧା ପାଇଁ ଉଦ୍ଦିଷ୍ଟ । ପ୍ରକଳ୍ପକୁ ବିରୋଧ କରିବା ଅର୍ଥ ମହାପ୍ରଭୁଙ୍କ କାର୍ଯ୍ୟରେ ବିଘ୍ନ ସୃଷ୍ଟି କରିବା । ଏଥିରୁ ନିବୃତ ରହିବାକୁ ଗଜପତି ମହାରାଜଙ୍କ ସମେତ ପୁରୀବାସୀ ଓ ସେବାୟତମାନେ ଅନୁରୋଧ କରିଛନ୍ତି ।

ଏଥିସହିତ ଶ୍ରୀମନ୍ଦିର କାର୍ଯ୍ୟରେ ବାଧା ସୃଷ୍ଟି କରାଗଲେ ପୁରୀବାସୀ ଓ ସେବାୟତ ବିରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି । ପୁରୀର ଅନେକ ସଂଗଠନ, ବୁଦ୍ଧିଜୀବୀ ଓ ଜଗନ୍ନାଥ ପ୍ରେମୀ ପ୍ରକଳ୍ପକୁ ସମର୍ଥନ କରି ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ଦେଇଛନ୍ତି । ଭଏସ ଅଫ କମନମ୍ୟାନ, ଭୂସମ୍ପତ୍ତି ସୁରକ୍ଷା ପରିଷଦ, ଶ୍ରୀକ୍ଷେତ୍ର ଆଠସାହି ଆଖଡା, ପୂଜ୍ୟପୂଜା ସଂସଦ, ଆଖଣ୍ଡଳମଣି ପରିଚାଳନା କମିଟି, ପୁରୀ ରୋଗୀ ସୁରକ୍ଷା ମଞ୍ଚ ପକ୍ଷରୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଏପରିକି ପୂଜ୍ୟପୂଜା ସଂସଦର ରାଜ୍ୟ ସଭାପତି ତଥା ବିଜେପିର ବରିଷ୍ଠ ନେତା କୃଷ୍ଣଚନ୍ଦ୍ର ଜଗଦେବ ମଧ୍ୟ ସ୍ମାରକପତ୍ର ପ୍ରଦାନ କରି ପ୍ରକଳ୍ପ ସାକାର ହେଉ ବୋଲି ଦର୍ଶାଇଛନ୍ତି ।