ଆଜି ପଦ୍ମ ବେଶରେ ଦର୍ଶନ ଦେବେ ମହାପ୍ରଭୁ

ପୁରୀ: ଆଜି ମହାପ୍ରଭୁଙ୍କ ଦୁର୍ଲଭ ପଦ୍ମ ବେଶ । ପ୍ରତିବର୍ଷ ତ୍ରିବେଣୀ ଅମାବାସ୍ୟା ପରବର୍ତ୍ତୀ ବୁଧବାର କିମ୍ବା ଶନିବାର ଯେଉଁ ଦିନ ପଡିବ ସେହିଦିନ ଏହି ଅନନ୍ୟ ବେଶରେ ସଜ୍ଜିତ ହୁଅନ୍ତି ମହାବାହୁ । ଚଳିତ ବର୍ଷ ତ୍ରିବେଣୀ ଅମାବାସ୍ୟା 21 ତାରିଖରେ ପଡିଥିବା ବେଳେ ଆଜି ବୁଧବାର ପଡ଼ୁଥିବାରୁ ମହାପ୍ରଭୁଙ୍କୁ ଘୋଡ ଲାଗି କରାଯାଇ ବେଶ ଲାଗି କରାଯିବ । ବଡ଼ସିଂହାର ବେଶ ପରେ ପଦ୍ମ ବେଶରେ ସଜ୍ଜିତ ହେବେ ମହାପ୍ରଭୁ । ଏହି ବେଶରେ ବଡ଼ଠାକୁରଙ୍କ ନିକଟରେ ସ୍ବତନ୍ତ୍ର ଖିରି ଭୋଗ ଲାଗି ହେବ ।

ଭକ୍ତ ମନୋହର ଦାଶର ମନବାଞ୍ଚା ପୂର୍ଣ୍ଣ କରିବା ପାଇଁ ମହାପ୍ରଭୁ ଏହି ବେଶ ଧାରଣ କରିଥିବାରୁ ପୌରାଣିକ ମତ ଅନୁଯାୟୀ ମହାପ୍ରଭୁଙ୍କ ଏହି ପଦ୍ମ ବେଶ କରାଯାଇଥାଏ । ଶୋଲ, ଜରି, ଜମ୍ବୁରା, ପ୍ରାକୃତିକ ରଙ୍ଗରେ ବେଶ ନିର୍ମାଣ କରାଯାଇଛି । ପଣ୍ଡୁ ପୂର୍ଣମୀ ଠାରୁ ଏହି ବେଶ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । କଦଳୀ ପାଟୁକାରେ କଦମ୍ବ ଫୁଲ, ହଂସ, ପଦ୍ମ ଆଦି ବିଭିନ୍ନ ପାରମ୍ପରିକ ବେଶ ନିର୍ମାଣ କରାଯାଇ ମହାପ୍ରଭୁଙ୍କୁ ପଦ୍ମ ବେଶରେ ସଜ୍ଜିତ କରାଯିବ ।