ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବନଭୋଜି ବେଶ

ପୁରୀ: ଶନିବାର ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବନଭୋଜି ବେଶ । ଗତ ମଙ୍ଗଳବାର ଠାରୁ ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମନୀତି ପ୍ରକ୍ରିୟା ଆରମ୍ଭ ହୋଇଛି । ମଙ୍ଗଳବାର ଯେଉଡ଼ ଭୋଗ ପରେ ବୁଧବାର ଶ୍ରୀକୃଷ୍ଣ ଜନ୍ମନୀତି ଓ ଗୁରୁବାର ନନ୍ଦ ଉତ୍ସବ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବା ପରେ ଆଜି ଠାରୁ ମହାପ୍ରଭୁଙ୍କୁ ବିଭିନ୍ନ ବେଶରେ ସଜିତ କରାଯିବ । ଆଜି ଭାଦ୍ରକୃଷ୍ଣ ଦଶମୀ ତିଥିରେ ଶ୍ରୀମନ୍ଦିରରେ ବନଭୋଜି ବେଶ ସହ କୋଳିବିକା ନୀତି, ବକାସୁର ବଧ ଓ ଅର୍ଘାସୁର ବଧ ନୀତି ଅନୁଷ୍ଠିତ ହେବ । ମଧ୍ୟାହ୍ନଧୂପ ପରେ ରାମକୃଷ୍ଣ ଦୁଇ ଚଳନ୍ତି ପ୍ରତିମାଙ୍କୁ  ପୂଜାପଣ୍ଡା ସେବକ ମାନେ  ଆଜ୍ଞାମାଳ ପ୍ରଦାନ କରିବା ପରେ ବିମାନରେ ବସାଇ ସିଂହଦ୍ଵାର ନିକଟସ୍ଥ  ବଡଛତା ମଠ ପାର୍ଶ୍ବରେ ଥିବା ଏକ କାଠ ସିଂହାସନକୁ ବିଜେ କରାଇବେ ।

ଲେଙ୍କା ସେବକ ଶବରୁଣୀ ବେଶ ହୋଇ ଗୁଆକୋଳି ଓ ନଡ଼ିଆ ପାତି ମିଶାଇ ଏକ ବାଉଁଶିଆରେ ଧରି ଆସି ସେଠାରେ ନୀତି ସମ୍ପାଦନ କରିବେ । ଭିତରଚ୍ଛ ମହାପାତ୍ର ଉକ୍ତ ଶବରୁଣୀଠାରୁ କୋଳି ଆଣି ମହାପ୍ରଭୁଙ୍କୁ  ସମର୍ପଣ ଓ ମଣୋହି କରିଵା ପରେ ପୂଜାପଣ୍ଡା ସେଠାରେ ଶୀତଳ ଭୋଗ ଓ ଭିତରଚ୍ଛ ମହାପାତ୍ର ବନ୍ଦାପନା ନୀତି କରିବେ । ସନ୍ଧ୍ୟାଧୂପ ପରେ ଠାକୁରମାନଙ୍କୁ ବନଭୋଜି ବେଶରେ  ସୁସଜ୍ଜିତ କରାଯିବ । ଏହି ବେଶରେ ଶ୍ରୀଜିଉମାନେ  ଶ୍ରୀଭୁଜରେ ରୂପା ପିଙ୍ଗଣରେ ସର ଧାରଣ ସହ  ଅନ୍ୟ ହସ୍ତରେ ନଉଡି ଧରିଥାନ୍ତି । ବନଭୋଜି ବେଶରେ ଠାକୁରମାନଙ୍କୁ ପ୍ରାୟ 18 ପ୍ରକାର ସ୍ବର୍ଣ୍ଣ ଅଳଙ୍କାରର ଯଥା ହରିଡ଼ା ମାଳ, ବାହାଡା ମାଳ, ଶ୍ରୀଭୁଜ, ଶ୍ରୀପୟର, ଝୋବା ମାଳ, କିରିଟ, କୁଣ୍ଡଳ ଆଦି ବିବିଧ ସ୍ଵର୍ଣ ଅଳଙ୍କାରରେ ବିମଣ୍ଡିତ କରାଯାଇଥାଏ ।