ଆଜିଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ୨୧ ଦିନ ଧରି ମହାପ୍ରଭୁଙ୍କ ଭିତର ଚନ୍ଦନ ଯାତ୍ରା

ପୁରୀ: ଆଜିଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ୨୧ ଦିନ ଧରି ମହାପ୍ରଭୁଙ୍କ ଭିତର ଚନ୍ଦନ ଯାତ୍ରା । ଗତକାଲି ନରେନ୍ଦ୍ର ସରୋବରରେ ବାହାର ଚନନ୍ଦ ନୀତି ଶେଷ ହେବା ପରେ ଶ୍ରୀମନ୍ଦିର ଭିତରେ ଆଜିଠାରୁ ମହାପ୍ରଭୁଙ୍କର ଭିତର ଚନ୍ଦନ ନୀତି ଆରମ୍ଭ ହେଉଛି । ପ୍ରତିଦିନ ଆଲଟ ଲାଗି ଓ ଚନ୍ଦନ ଲାଗି ନୀତି କରାଯିବା ସହ ପଣା ଭୋଗ ଅନୁଷ୍ଠିତ ହେବ । ଚନ୍ଦନ ଯାତ୍ରାରେ ୪ଟି ସ୍ବତନ୍ତ୍ର ଦିବସରେ ଶ୍ରୀମନ୍ଦିର ଭିତର ବେଢାରେ ଥିବା ଜଳକ୍ରୀଡା ମଣ୍ଡପରେ ମହାପ୍ରଭୁଙ୍କର ଜଳକ୍ରୀଡା ନୀତି କରାଯିବ ।

୧୫ ତାରିଖ ଏକାଦଶୀ, ୧୯ ତାରିଖ ସାବିତ୍ରୀ ଅମାବାସ୍ୟା, ୨୪ ତାରିଖ ଶୀତଳଷ୍ଠୀ ଓ ୩୧ ରୁକ୍ମିଣୀ ବିବାହ ଦିନ ମହାପ୍ରଭୁଙ୍କ ଜଳକ୍ରୀଡା ନୀତି ଅନୁଷ୍ଠିତ ହେବ । ସେପଟେ ରଥଖଳାରେ ଜୋରସୋରରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ରଥ ନିର୍ମାଣରେ ନିଜକୁ ନିୟୋଜିତ କରିଛନ୍ତି ମହାରଣା, ଭୋଇ, କମାର ଓ ରୂପକାର ସେବାୟତ । ୪ ତାରିଖ ମହାପ୍ରଭୁଙ୍କ ସ୍ନାନ ପୂର୍ଣ୍ଣିମା ପଡୁଥିବାବେଳେ ୪ ନାହାକା ଉଠିବାର ବିଧି ରହିଛି ।