ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ନେଇ ରଥ ନିର୍ମାଣର ଆଜି ଶୁଭ ଅନୁକୂଳ

ପୁରୀ: ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରଥ ନିର୍ମାଣ କାର୍ଯ୍ୟର ଆଜି ଅନୁକୂଳ ହେବ । ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ପାରମ୍ପରିକ ରୀତିନୀତିରେ ଯଜ୍ଞ ଓ ପୂଜାର୍ଚ୍ଚନା କରାଯିବ । ଶ୍ରୀମନ୍ଦିର ପୁରୋହିତ, ରାଜଗୁରୁ ଓ ସୋତ୍ରୀୟ ବ୍ରାହ୍ମଣଙ୍କ ମନ୍ତ୍ରଧ୍ୱନିରେ ବିଶ୍ୱକର୍ମାମାନେ ୩ଟି ଧଉରା କାଠରେ ରଥ ନିର୍ମାଣର ଶୁଭାରମ୍ଭ କରିବେ । ଏପଟେ ରଥ ନିର୍ମାଣ କାର୍ଯ୍ୟକୁ ଆଗେଇ ନେବାକୁ ଶ୍ରୀନହର ସମ୍ମୁଖରେ ଚାଳି ତିଆରି ଶେଷ ହୋଇଛି । ମଙ୍ଗଳବାର ମହାପ୍ରଭୁଙ୍କ ବାହାର ଚନ୍ଦନଯାତ୍ରା ମଧ୍ୟ ଚାଲିବ ।

ରଥ ନିର୍ମାଣ ଅନୁକୂଳ ପାଇଁ ୩ଟି ୧୨ଫୁଟିଆ ଧଉରା କାଠ ମହା ରଥଖଳାରେ ରଖା ସରିଛି । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ସ୍ଥିର ହୋଇଛି । ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ହେବ ଅପରାହ୍ନ ୪ଟାରେ । ଏହାପରେ ଯଥାବିଧି ପୂଜାର୍ଚ୍ଚନା ସରି ବିଶ୍ୱକର୍ମାମାନେ ଶାଢ଼ି ବନ୍ଧାଇ ସ୍ୱତନ୍ତ୍ର କୁରାଢିରେ ରଥ ନିର୍ମାଣ ଅନୁକୂଳ କରିବେ । ପରଦିନ ଠାରୁ ଶ୍ରୀନହର ସମ୍ମୁଖରେ ତିନି ରଥ ତିଆରିର ଶୁଭାରମ୍ଭ ହେବ । ପ୍ରଥମେ ଚକ ନିର୍ମାଣ କରାଯିବ ।

୧୪ ତାରିଖ ଶନିବାର ନୃସିଂହ ଚତୁର୍ଦ୍ଦଶୀରେ ଗୁଜ ଅନୁକୂଳ । ୨୨ ତାରିଖ ରବିବାର ଭଉଁରୀ ଉତ୍ସବରେ ଚକ ଅଖ ଡେରା ହୋଇ ଜୁନ୍‌ ୧୪ ମଙ୍ଗଳବାର ସ୍ନାନପୂର୍ଣ୍ଣମୀରେ ଚାରି ନାହାକା ଉଠିବ । ଜୁନ୍‌ ୩୦ ତାରିଖ ଗୁରୁବାର ଉଭାଯାତ୍ରା (ରଥ ଯାତ୍ରା ପୂର୍ବ ଦିନ) ଅବସରରେ ରଥଖଳାରୁ ତିନି ରଥ ପ୍ରସ୍ତୁତ ହୋଇ ସିଂହଦ୍ୱାରରେ ପହଞ୍ଚିବ । ଜୁଲାଇ ୧ ତାରିଖ ଶୁକ୍ରବାର ଶ୍ରୀଗୁଣ୍ଡିଚା ଯାତ୍ରା ଅବସରରେ ଚତୁର୍ଦ୍ଧାମୂର୍ତ୍ତି ରଥାରୂଢ ହୋଇ ଗୁଣ୍ଡିଚା ଘର ଜନ୍ମବେଦିକୁ ଯାତ୍ରା କରିବେ।

ଅନ୍ୟପକ୍ଷରେ ବାଲୁକା କଳା ମାଧ୍ୟମରେ ଚନ୍ଦନ ଯାତ୍ରା ଓ ରଥ କାଠ ଅନୁକୂଳର ଶୁଭକାମନା ଜଣାଇଛନ୍ତି ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।

ଏଥିସହିତ ପଢ଼ନ୍ତୁ: ଚାଷୀଙ୍କ ପାଇଁ ଖୁସି ଖବର: ଆଜି ମିଳିବ ‘କାଳିଆ’ ଟଙ୍କା