ପଞ୍ଜାବରେ ରେଳ ରୋକ୍ ଆନ୍ଦୋଳନ, ଜାଣନ୍ତୁ କେତେ କ୍ଷତି ସହିଲାଣି ରେଲଓ୍ବେ

1 min read

ଅମୃତସର: ପଞ୍ଜାବରେ ଚାଷୀଙ୍କ ରେଳ ରୋକ ଆନ୍ଦୋଳନ ତୃତୀୟ ଦିନରେ ପହଞ୍ଚିଛି । ଦ୍ବିତୀୟ ଦିନ ଅଥବା ଶୁକ୍ରବାର ଶହ ଶହ ଯାତ୍ରୀ ବିଭନ୍ନ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ପରିସ୍ଥିତି ଏତେ ଜଟିଳ ହୋଇଥିଲା କି, ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ସବୁଠାରୁ ବଡ଼ କଥା ହେଉଛି କି, ଭାରତୀୟ ରେଲଓ୍ବେ ବହୁ କ୍ଷତି ସହିଥିବା ସୂତ୍ରରୁ ଜଣାପଡ଼ିଛି । ପ୍ରାୟ ୩୧୦୦ ଯାତ୍ରୀ ସେମାନଙ୍କ ଟିକେଟ କ୍ୟାନସେଲ କରିଛନ୍ତି । ଯାହାଦ୍ବାରା ରେଳବାଇ ୧୭ ଲକ୍ଷ ଟଙ୍କା ଫେରସ୍ତ କରିଛି । ଆନ୍ଦୋଳନକୁ ଦୃଷ୍ଟିରେ ରଖି ଟ୍ରେନ୍ ବାତିଲ୍ କରାଯାଇ ଥିବାବେଳେ ଷ୍ଟେସନରେ ଯାତ୍ରୀମାନେ ଫେରସ୍ତ ପାଇଁ ଲମ୍ବା ଲାଇନ ଲଗାଇଥିଲେ । ଅତିରିକ୍ତ କାଉଣ୍ଟର ମଧ୍ୟ ଖୋଲାଯାଇଥିବା ଦେଖିବାକୁ ମିଳିଛି ।

ସୂଚନା ଥାଉକି, ୬ ରାଜ୍ୟରେ କୃଷକ ସଂଗଠନ ପକ୍ଷରୁ ଆଇନଗତ ଗ୍ୟାରେଣ୍ଟି ସହ ଏମଏସପି ଏବଂ ମୌସୁମୀ ସମୟରେ କ୍ଷତି ହୋଇଥିବା ଫସଲ ପାଇଁ କ୍ଷତିପୂରଣ ଦାବି କରି ଆନ୍ଦୋଳନ କରୁଛନ୍ତି । ଉତ୍ତର ରେଲଓ୍ବେ ଫିରୋଜପୁରରେ କୃଷକଙ୍କ ଆନ୍ଦୋଳନକୁ ଦୃଷ୍ଟିରେ ରଖି ୧୩୬ ଟ୍ରେନ ବାତିଲ କରାଯାଇଛି । ଅନ୍ୟପଟେ ୨୧୭ ଟ୍ରେନ ମଧ୍ୟ ପ୍ରଭାବିତ ହୋଇଛି । ତେବେ ଏହି ଟ୍ରେନ ବାତିଲ ତାଲିକାରେ ରହିଛି ଅମୃତସର-ହିସାର, ସିଲଦା-ଅମୃତସର, ହାଓ୍ବଡ଼ା-ଅମୃତସର, ଇନ୍ଦୋର-ଅମୃତସର, ମୁମ୍ବାଇ-ଅମୃତସର, ହରିଦ୍ୱାର-ଅମୃତସର, ପଠାନକୋଟ-ଅମୃତସର, ଲୁଧିଆନା-ଛେର୍ଟା, ଅମୃତସର-କାଦିଆନ ଏବଂ ପଠାନକୋଟ-ଅମୃତସର ଅନ୍ତର୍ଭୁକ୍ତ।

ଶନିବାର ମଧ୍ୟ ଏହି ଆନ୍ଦୋଳନ ଜାରି ରହିବ ବୋଲି କିଶାନ ମଜଦୁର ସଂଗଠନ ପକ୍ଷରୁ କୁହାଯାଇଛି । ସେପଟେ ଏହି ଆନ୍ଦୋଳନରେ ହରିୟାଣାର କୃଷକମାନେ ଯୋଗ ଦେବେ ବୋଲି ମଧ୍ୟ ସୂଚନା ମିଳିଛି । ବିଭିନ୍ନ ସ୍ଥାନରେ ଚାଷୀମାନେ ରେଳ ଧାରଣାରେ ଟେଣ୍ଟ ବାନ୍ଧି ଆନ୍ଦୋଳନ ଜାରି ରଖିଛନ୍ତି । ବନ୍ଦେ ଭାରତ ଏକ୍ସପ୍ରେସ ମଧ୍ୟ ଚଳାଚଳରେ ପ୍ରଭାବିତ ହୋଇଛି । ସେପଟେ ବିଭିନ୍ନ ଷ୍ଟେସନରେ ଶହ ଶହ ଯାତ୍ରୀ ମଧ୍ୟ ଫସି ରହିଛନ୍ତି । ଅନ୍ୟପଟେ ଏନଏଚ ୬୨କୁ ମଧ୍ୟ କୃଷକ ସଂଗଠନ ପକ୍ଷରୁ ଅବରୋଧ କରାଯାଇଛି ।