ପ୍ରଫେସର ଡକ୍ଟର ପ୍ରଦୀପ ମହାପାତ୍ରଙ୍କ ପରଲୋକ

ବ୍ରହ୍ମପୁର: ବିଶ୍ଵବିଦ୍ୟାଳୟର ସାମ୍ବାଦିକତା ଏବଂ ଗଣଯୋଗାଯୋଗ ବିଭାଗର ପୂର୍ବତନ ବିଭାଗୀୟ ମୁଖ୍ୟ ପ୍ରଫେସର ଡକ୍ଟର ପ୍ରଦୀପ ମହାପାତ୍ରଙ୍କ ପରଲୋକ ହୋଇଛି । ଭୁବନେଶ୍ଵରର ଏକ ହସ୍ପିଟାଲରେ ଶୁକ୍ରବାର ମଧ୍ଯରାତ୍ରିରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ଯୁ ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା । ଦୀର୍ଘ ୨୭ ବର୍ଷ ଧରି ବ୍ରହ୍ମପୁର ବିଶ୍ବବିଦ୍ଯାଳୟରେ ଅଧ୍ଯାପନା କରିବା ପରେ ୨୦୧୬ ମସିହାରେ ସେ ଅବସର ଗ୍ରହଣ କରିଥିଲେ ।

କିଛିଦିନ ତଳେ ସେ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଭୁବନେଶ୍ୱରର ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କଠାରେ ନିମୋନିଆ ଯୋଗୁ ଗୁରୁତର ଭାବେ ଫୁସଫୁସ ଜନିତ ସମସ୍ଯା ଦେଖାଦେଇଥିଲା । ଚିକିତ୍ସା ସମୟରେ ହଠାତ ହୃଦଘାତ ହେବା ସହ ମସ୍ତିଷ୍କ ଗୁରୁତର ଭାବେ ପ୍ରଭାବିତ ହୋଇ ତାଙ୍କର ମୃତ୍ଯୁ ହୋଇଥିବା ଜଣାପଡ଼ିଛି ।

ପ୍ରଫେସର ମହାପାତ୍ର ପ୍ରତ୍ଯେକ୍ଷ ଭାବେ ସାମ୍ବାଦିକତା ସହ ଜଡିତ ଥିଲେ । ବ୍ରହ୍ମପୁରରୁ ସାମ୍ବାଦିକତା କ୍ୟାରିୟର ଆରମ୍ଭ କରି ପରବର୍ତ୍ତୀ ସମୟରେ ସାମ୍ବାଦିକତା ଶିକ୍ଷା କ୍ଷେତ୍ରରେ ପ୍ରବେଶ କରିଥିଲେ । ସେ ବ୍ରହ୍ମପୁରରୁ ପ୍ରକାଶିତ ଦୈନିକ ଆଶା ଖବରକାଗଜ ସହ ସଂପୃକ୍ତ ଥିଲେ । ଡେକାନ ହେରାଲ୍ଡରେ ନିୟମିତ ଭାବେ ଲେଖୁଥିଲେ । ବିଭିନ୍ନ ଖବରକାଗଜରେ ତାଙ୍କର ନିୟମିତ ସ୍ତମ୍ଭ ପ୍ରକାଶ ପାଉଥିଲା । ବ୍ରହ୍ମପୁର ଡାଏରୀ ତାଙ୍କର ଏକ ଆଦୃତ ସ୍ତମ୍ଭ । ଜଣେ ସରଳ, ଛାତ୍ରବତ୍ସଳ ଅଧ୍ଯାପକ ଭାବେ ସେ ବେଶ୍ ଆଦୃତ ଥିଲେ ।

ଇଂରାଜୀ ଓ ସାମ୍ବାଦିକତାରେ ସ୍ନାତକୋତ୍ତର କରିଥିଲେ ମଧ୍ଯ ସେ ଓଡ଼ିଆରେ ଡକ୍ଟରେଟ ହାସଲ କରିଥିଲେ । ବ୍ରହ୍ମପୁର ଭୀମାରାଓପେଟାରେ ତାଙ୍କ ନିଜସ୍ବ ଘର । ସ୍ବର୍ଗତ ପ୍ରଦୀପ ମହାପାତ୍ରଙ୍କ ପତ୍ନୀ ମଧ୍ଯ ବ୍ରହ୍ମପୁର ବିଶ୍ବବିଦ୍ଯାଳୟରେ ଅଧ୍ଯାପନା କରି ଅବସର ଗ୍ରହଣ କରିଛନ୍ତି । ତାଙ୍କ ମରଶରୀରକୁ ଭୁବନେଶ୍ବରରୁ ବ୍ରହ୍ମପୁରକୁ ନିଆଯାଉଛି । ସେଠାରେ ତାଙ୍କର ଶେଷକୃତ୍ଯ ସମ୍ପନ୍ନ ହେବ ବୋଲି ପରିବାର ସୂତ୍ରରୁ ଜଣାପଡ଼ିଛି । ତାଙ୍କ ଦେହାନ୍ତ ସମ୍ପର୍କରେ ଖବର ପାଇ ଦେଶ ବିଦେଶରେ ଥିବା ତାଙ୍କର ଛାତ୍ରଛାତ୍ରୀ ତଥା ଓଡ଼ିଶା ଗଣମାଧ୍ୟମର ପ୍ରମୁଖ ବ୍ୟକ୍ତିତ୍ୱମାନେ ଦୁଃଖ ପ୍ରକାଶ କରିଛନ୍ତି ।