ଆଡଭାନୀଙ୍କ ଘରକୁ ଯାଇ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

1 min read

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି)ର ଭିତ୍ତିପ୍ରସ୍ତର ସ୍ଥାପନ କରିବାରେ ବିଜେପିର ବରିଷ୍ଠ ନେତା ଲାଲ କୃଷ୍ଣ ଆଡଭାନୀଙ୍କ ମୁଖ୍ୟ ଭୂମିକା ରହିଛି । ଆଜି ତାଙ୍କର ୯୩ ତମ ଜନ୍ମଦିନ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହି ବିଶେଷ ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଏଲ.କେ ଆଡଭାନୀ ଦଳର ଲକ୍ଷ ଲକ୍ଷ କର୍ମୀ ତଥା ଦେଶବାସୀଙ୍କ ପାଇଁ ପ୍ରତ୍ୟକ୍ଷ ପ୍ରେରଣାର ସ୍ରୋତ ।

ଏଲ.କେ ଆଡଭାନୀଙ୍କୁ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ୍ କରି ଲେଖିଛନ୍ତି ଯେ, ବିଜେପିକୁ ଲୋକଙ୍କ ପାଖରେ ପହଞ୍ଚାଇବା ସହ ଦେଶର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଶ୍ରୀ ଏଲ.କେ ଆଡଭାନୀ ଜୀଙ୍କୁ ଜନ୍ମଦିନର ଶୁଭେଚ୍ଛା । ଲକ୍ଷ ଲକ୍ଷ ଦଳୀୟ କର୍ମୀ ତଥା ଦେଶବାସୀଙ୍କ ପାଇଁ ସେ ପ୍ରତ୍ୟକ୍ଷ ପ୍ରେରଣା । ମୁଁ ତାଙ୍କର ଦୀର୍ଘ ଏବଂ ସୁସ୍ଥ ଜୀବନ ପ୍ରାର୍ଥନା କରୁଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟତୀତ ଅନେକ ବିଜେପି ନେତା ଏଲ.କେ ଆଡଭାନୀଙ୍କୁ ତାଙ୍କ ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି । ପରିବେଶ ମନ୍ତ୍ରୀ ପ୍ରକାଶ ଜାଭେଦକର ଅଭିନନ୍ଦନ ଜଣାଇ ଲେଖିଛନ୍ତି- ଜନସଂଘ, ବିଜେପିର ମହାନ ନେତା ତଥା ପୂର୍ବତନ ଉପ-ପ୍ରଧାନମନ୍ତ୍ରୀ ଶ୍ରୀ ଏଲ.କେ ଆଡଭାନୀ ସୁସ୍ଥ ରୁହନ୍ତୁ । ତାଙ୍କ ଜନ୍ମଦିନରେ ଅବସରରେ ତାଙ୍କୁ ଅନେକ ଶୁଭେଚ୍ଛା । ଏଥିସହ ଆଇନ୍ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ମଧ୍ୟ ଆଡଭାନୀଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି ଯେ, ଭାରତର ପୂର୍ବତନ ଉପ-ପ୍ରଧାନମନ୍ତ୍ରୀ ତଥା ଆମର ମାର୍ଗଦର୍ଶକ ଶ୍ରୀ ଲାଲ କୃଷ୍ଣ ଆଡଭାନୀଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା।

ଏହି ଅବସରରେ ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ବରିଷ୍ଠ ବିଜେପି ନେତା ଏଲ.କେ ଆଡଭାନୀଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି । ଶାହ ତାଙ୍କ ଟ୍ୱିଟ୍‌ରେ ଲେଖିଛନ୍ତି- ‘ସମ୍ମାନିତ ଆଡଭାନୀ ଜୀ ନିଜର ପରିଶ୍ରମ ଏବଂ ନିସ୍ୱାର୍ଥପର ସେବା ଦ୍ୱାରା ଦେଶର ବିକାଶରେ କେବଳ ସହଯୋଗ କରିନାହାଁନ୍ତି ବରଂ ବିଜେପିର ରାଷ୍ଟ୍ରବାଦୀ ବିଚାଧାରାର ବିସ୍ତାରରେ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ମୁଁ ତାଙ୍କ ଜନ୍ମଦିନରେ ତାଙ୍କୁ ଶୁଭେଚ୍ଛା ଜଣାଉଛି ଏବଂ ଭଗବାନ ପାଖରେ ତାଙ୍କର ଦୀର୍ଘାୟୁ କାମନା କରୁଛି ।’

Leave a Reply