ଜରାଜୀର୍ଣ୍ଣ ଅବସ୍ଥାରେ ରାୟଗଡାର ପ୍ରେମପାହାଡ

ରାୟଗଡା: ଜରାଜୀର୍ଣ୍ଣ ଅବସ୍ଥାରେ ରାୟଗଡାର ପର୍ଯ୍ଯଟନ ସ୍ଥଳୀ ପ୍ରେମପାହାଡ । ରକ୍ଷଣାବେକ୍ଷଣା ଅଭାବରୁ ଜରାଜୀର୍ଣ୍ଣ ଅବସ୍ଥାରେ ପ୍ରେମପାହାଡ। କେଉଁଠି ଚେୟାର ଭାଙ୍ଗି ପଡିଛି ତ ଆଉ କେଉଁଠି ସୁରକ୍ଷା ପାଚେରୀରେ କଳଙ୍କି ଲାଗି ଭାଙ୍ଗିବାକୁ ବସିଲାଣି । ଯୁଆଡେ ଦେଖିଲେ ସବୁଠି କୁଢକୁଢ ଅଳିଆ ପଡିଛି। ପୂର୍ବତନ ରାଜ୍ଯ ସରକାରଙ୍କ ଉଦ୍ଯମରେ କୋଟିକୋଟି ଟଙ୍କା ଅନୁଦାନରେ ଲଣ୍ଡା ପାହାଡର ସୌନ୍ଦର୍ଯ୍ଯକରଣ ହୋଇ ପ୍ରେମ ପାହାଡ ନାମରେ ପରିଣତ ହୋଇଥିଲା । ଏଠାରେ ରହିଛି ପ୍ରଭୁ ମହାକାଳେଶ୍ୱର, ଗଣେଶ, ହନୁମାନଙ୍କ ମନ୍ଦିର । ଏଥିସହିତ ବ୍ୟାୟାମ କରିବା ପାଇଁ ପାହାଡ଼ ଚାରି ପାଖରେ ପାଖାପାଖି ଏକ କିଲୋମିଟର ଦୂରତା ବିଶିଷ୍ଠ ସୁନ୍ଦର ଚଲାପଥ ରହିଛି। ତା ସହିତ ରହିଛି ବିଭିନ୍ନ ଶାରୀରିକ ବ୍ୟାୟାମ ଉପକରଣ। ଏଠାରେ ପ୍ରତ୍ଯେକ ଦିନ ହଜାର ହଜାର ଲୋକଙ୍କ ଭିଡ ଲାଗେ । ହେଲେ ଏହି ପର୍ଯ୍ଯଟନସ୍ଥଳୀଟି ରକ୍ଷଣାବେକ୍ଷଣା ଅଭାବରୁ ସତ୍ତା ହରାଇବାକୁ ବସିଥିବାରୁ ଏହାର ପୁନଃରୁଦ୍ଧାର ପାଇଁ ଦାବି କରିଛନ୍ତି ଲୋକେ ।

ପ୍ରେମ ପାହାଡରେ ସୁରକ୍ଷା ବ୍ଯବସ୍ଥା ନଥିବାରୁ ଅନେକ ଅସାମାଜିକ ବ୍ଯକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଥିବା ନେଇ ଅଭିଯୋଗ ହୋଇଛି । ତେଣୁ ପର୍ଯ୍ଯଟନସ୍ଥଳୀରେ ସୁରକ୍ଷା ବ୍ଯବସ୍ଥାକୁ କଡାକଡି କରିବାକୁ ପ୍ରଶାସନ ନିକଟରେ ଅନୁରୋଧ କରିଛନ୍ତି ବୁଦ୍ଧିଜୀବୀ । ଅପରପକ୍ଷେ ଏହି ପର୍ଯ୍ଯଟନସ୍ଥଳୀର ରକ୍ଷାବେକ୍ଷଣା ପାଇଁ ଜିଲ୍ଲା ପ୍ରଶାସନଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି ବିଧାୟକ ଆପଲସ୍ୱାମୀ କାଡ୍ରାକା।