ଭିନ୍ନ ଢଙ୍ଗରେ ବିଜୟ ଉତ୍ସବ ମନାଇଲେ ମନ୍ତ୍ରୀ ପ୍ରତାପ ଜେନା

ମହାଙ୍ଗା: ସାରା ରାଜ୍ୟରେ ବିଜେଡିର ବିଜୟ ଉତ୍ସବକୁ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ତାଙ୍କ ନିଜ ନିର୍ବାଚନ ମଣ୍ଡଳୀ ମାହାଙ୍ଗାରେ ଏକ ଭିନ୍ନ ଢ଼ଙ୍ଗରେ ପାଳନ କରିଛନ୍ତି। ଗତକାଲି ମାହାଙ୍ଗାରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରି ସେ ତାଙ୍କ ଦଳର ବିଜୟ ଉତ୍ସବ ପାଳିଥିବା ସେ କହିଛନ୍ତି।

ଏହି ଅବସରରେ ପ୍ରଥମେ ଖନ୍ଦୋଳ ଛକ ଠାରୁ ଏକ ବିରାଟ ମୋରଟ ସାଇକେଲ ରାଲିରେ ବାହାରି ଛାତ୍ରତୋଟା ଠାରେ ଏକ ଘରୋଇ ହସ୍ପିଟାଲରେ ଉଦ୍‌ଘାଟନ କରିବା ପରେ ବାରାହିପୁର ପଞ୍ଚାୟତର ନୂତନ ଉପ ସ୍ୱାସ୍ଥ୍ୟକେନ୍ଦ୍ର ଓ ମିଶନ ଶକ୍ତି ଗୃହ ଉଦଘାଟନ କରିଥିଲେ। ପରେ ଓଷଙ୍ଗ ପଞ୍ଚାୟରେ ୫ କୋଟି ୩୦ ଲକ୍ଷ ବ୍ଯୟର ଆଦର୍ଶ ବିଦ୍ୟାଳୟକୁ ସଂଯୋଗ କରୁଥିବା ବଇଁଚୁଆ ଠାରୁ ଗୋକନ୍ ପର୍ଯ୍ୟନ୍ତ ୯ କିମି ରାସ୍ତା ର ଶିଳାନ୍ୟାସ କରିଥିଲେ ମନ୍ତ୍ରୀ ପ୍ରତାପ ଜେନା। ଏଥିରେ ମାହାଙ୍ଗା ବ୍ଲକ ଅଧ୍ୟକ୍ଷା,ଉପାଧ୍ୟକ୍ଷ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ।

ସୂଚନା ଯୋଗ୍ୟ ଯେ, ସଦ୍ୟ ସମାପ୍ତ ପୌର ନିର୍ବାଚନରେ ବିପୁଳ ବିଜୟ ହାସଲ କରିଛି ବିଜେଡି । ୩ଟି ଯାକ ମହାନଗର ନିଗମ ଦଖଲ କରିଛି ବିଜେଡି । ଭୁବନେଶ୍ବରରେ ବିଜେଡି ମେୟର ପ୍ରାର୍ଥିନୀ ସୁଲୋଚନା ଦାସ ବିଜୟ ହୋଇ ପ୍ରଥମ ମହିଳା ମେୟର ହୋଇଛନ୍ତି । କଟକରେ ସୁବାସ ସିଂ ମେୟର ଭାବେ ନିର୍ବାଚିତ ହୋଇଛନ୍ତି । ବ୍ରହ୍ମପୁରରେ ସଂଘମିତ୍ରା ଦଳେଇ ବିଜେଡି ମେୟର ଭାବେ ବିଜୟୀ ହୋଇଛନ୍ତି ।

ସେହିପରି ୩୦ ଜିଲ୍ଲାର ୧୦୫ ପୌର ପରିଷଦରେ ବିଜେଡିକୁ ମିଳିଛି ବଡ ସଫଳତା । ୭୩ ଅଧ୍ୟକ୍ଷ ପଦରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ବିଜେପି ୧୬, କଂଗ୍ରେସ ୭ ଓ ସ୍ବାଧୀନ ୯ଟି ପଦରେ ବାଜିମାତ କରିଛନ୍ତି ।

ଅନୁଗୁଳରେ ସମସ୍ତ ୩ ପୌର ପରିଷଦରେ ଅଧ୍ୟକ୍ଷ ପଦ ହାସଲ କରିଛି ବିଜେଡି । ବାଲେଶ୍ବରର ୫ ପରିଷଦରୁ ବିଜେଡି ୪ ଓ ବିଜେପି ଗୋଟିଏ ଅଧ୍ୟକ୍ଷ ପଦ ହାତେଇଛି । ବରଗଡ଼ର ୪ଟି ପରିଷଦରୁ ବିଜେଡି ୩ ଓ ସ୍ବାଧୀନ ଗୋଟିଏ ପଦ ହାସଲ କରିଛନ୍ତି । ଭଦ୍ରକର ୩ ଆସନରୁ ବିଜେଡି ୨ ଓ ସ୍ବାଧୀନ ଗୋଟିଏ ପଦବୀ ପାଇଛନ୍ତି । ବଲାଙ୍ଗୀରର ୫ ଆସନରୁ ବିଜେଡି ୩, ବିଜେପି ଗୋଟିଏ ଓ କଂଗ୍ରେସ ଗୋଟିଏ ଆସନ ପାଇଛନ୍ତି ।

ବୌଦ୍ଧର ଏକମାତ୍ର ଆସନ ଯାଇଛି ବିଜେଡି ହାତକୁ । କଟକର ୩ଟି ଆସନରୁ ୩ଟି ଯାକ ଆସନରେ ବିଜେଡିର ବିଜୟ ହୋଇଛି । ଦେବଗଡ଼ର ଏକମାତ୍ର ଆସନରେ ବିଜେଡି ବିଜୟୀ ହୋଇଛି । ଢେଙ୍କାନାଳର ୩ ଆସନରୁ ବିଜେଡି ୨ ଓ ବିଜେପି ଗୋଟିଏ ଆସନରେ ବିଜୟୀ ହୋଇଛନ୍ତି । ଗଜପତିର ୨ଟି ଯାକ ଆସନ ବିଜେଡି ଲାଭ କରିଛି । ଗଞ୍ଜାମର ୧୭ଆସନରୁ ବିଜେଡି ୧୨ଟି, ବିଜେପି ୨, କଂଗ୍ରେସ ୧ ଓ ସ୍ବାଧୀନ ୨ଟି ଆସନରେ ବିଜୟୀ ହୋଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ୩ ମେୟର ପଦ ବିଜେଡି କବଜାରେ: କେଉଁଠି କିଏ ଜିତିଲେ ଅଧ୍ୟକ୍ଷ ପଦ ?