ବିଜେପି ବିଧାୟକ ଗିରଫ ଘଟଣା: ଧର୍ମେନ୍ଦ୍ରଙ୍କୁ ପ୍ରଣବଙ୍କ ଜବାବ

ଭୁବନେଶ୍ବର: ତିଳେଇବଣି ବିଡିଓଙ୍କୁ ମରଣାନ୍ତ ଆକ୍ରମଣ ଅଭିଯୋଗରେ ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ ଗିରଫ ହେବାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟ୍ବିଟର ଜବାବ ଦେଇଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଟ୍ବିଟ କରି ପ୍ରଣବ ଲେଖିଛନ୍ତି, ‘ଆପଣ ବୋଧହୁଏ ଅବଗତ ନାହାନ୍ତି ଯେ ଦେବଗଡ଼ ବିଧାୟକ ଜଣେ କର୍ତ୍ତବ୍ୟରତ ସରକାରୀ ଅଧିକାରୀଙ୍କୁ ମାଡ ମାରି ଲହୁଲୁହାଣ କରିଛନ୍ତି । ନିକଟ ଅତୀତରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ ମଧ୍ୟ ସରକାରୀ କର୍ମଚାରୀଙ୍କୁ ନିଜ ଅଫିସକୁ ଡାକି ମରଣାନ୍ତକ ଆକ୍ରମଣ କରିଥିଲେ ।’

ସେ ଆଗକୁ ଲେଖିଛନ୍ତି, ‘କେହି ଭୁଳିଯବା ଉଚିତ ନୁହେଁ ଯେ ଓଡ଼ିଶାରେ ଆଇନର ଶାସନ ଚାଲିଛି । ବିଗତ ତିନି ବର୍ଷ ମଧ୍ୟରେ ଆଇନକୁ ହାତକୁ ନେଇଥିବା ବିଜେଡିର ୩ ଜଣ ବିଧାୟକଙ୍କ ବିରୋଧରେ ମଧ୍ୟ ଦୃଢ କାର୍ଯ୍ୟାନୁଷ୍ଠାନ ହୋଇଛି । ଏବେ ସମାନ କାରଣରୁ ଦେବଗଡ଼ ବିଧାୟକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ କରାଯିବା ବେଳକୁ ଆପଣ ବିରୋଧ କରୁଛନ୍ତି କାହିଁକି ?’

ଏହସହ ଧର୍ମେନ୍ଦ୍ରଙ୍କୁ ପ୍ରଣବ ପ୍ରଶ୍ନ କରିଛନ୍ତି, ‘ଆପଣଙ୍କ ଦଳର ବିଧାୟକ ବୋଲି ସେ କ’ଣ ଆଇନର ଊର୍ଦ୍ଧ୍ବରେ ? ଆପଣ ସଂସଦରେ ଆଇନ ତିଆରି କରୁଛନ୍ତି । ଆପଣ ଭଲ ଭାବେ ଜାଣିଛନ୍ତି ଯେ, ଗଣତନ୍ତ୍ରରେ ମନ୍ତ୍ରୀ, ସାଂସଦ, ବିଧାୟକ, ସାଧାରଣ ଜନତା ସମସ୍ତେ ସମାନ । ବିଜେଡି ସରକାରରେ ଆଇନ ଆଗରେ ସମସ୍ତେଙ୍କୁ ସମାନ ଆଖିରେ ଦେଖାଯାଏ, ଏକଥା ଓଡ଼ିଶାରେ ମଧ୍ୟ ସମସ୍ତେ ଭଲ ଭାବେ ଜାଣନ୍ତି ।’

ସୂଚନାଯୋଗ୍ୟ ସୁବାସଙ୍କ ଗିରଫଦାରୀକୁ ନେଇ ଧର୍ମେନ୍ଦ୍ର ପ୍ରଶ୍ନ ଉଠାଇଥିଲେ । ଟ୍ବିଟ କରି ସେ ଲେଖିଥିଲେ, ‘ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ତରବରିଆ ଭାବେ ଗିରଫ କରାଯିବା ଚିନ୍ତାର ବିଷୟ । କିଛି ଅଧିକାରୀ ନିଜର କାର୍ଯ୍ୟଶୈଳିକୁ ନ ସୁଧାରି ବିରୋଧୀ ଦଳର ନେତାମାନଙ୍କ ସ୍ବରକୁ ଚାପିବା ପାଇଁ ଆଇନର ଅପବ୍ୟବହାର କରୁଛନ୍ତି । ଯାହା ଗଣତନ୍ତ୍ର ପାଇଁ ବିପଦଜନକ ।’