ଦୁବାଇ-ଭୁବନେଶ୍ୱର ମଧ୍ୟରେ ସିଧା ବିମାନ ସେବା ଆରମ୍ଭ ହୋଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ପ୍ରବାସୀ ଓଡ଼ିଆ

1 min read

ଦୁବାଇ:  ଦୁବାଇ – ଭୁବନେଶ୍ବର ମଧ୍ୟରେ ସିଧା ବିମାନ ସେବା ଆରମ୍ଭ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରବାସୀ ଓଡ଼ିଆ ଧନ୍ୟବାଦ ଦେଇଛନ୍ତି । ୟୁଏଇରୁ ଆସି ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ପ୍ରବାସୀ ଓଡ଼ିଆ । ଦୁବାଇରେ ଅବସ୍ଥାପିତ ଏକ ଭାରତୀୟ ବହୁରାଷ୍ଟ୍ରୀୟ କମ୍ପାନୀର ମୁଖ୍ୟ ଏବଂ ୟୁଏଇ ଓଡ଼ିଆ କମ୍ୟୁନିଟିର ବରିଷ୍ଠ ସଦସ୍ୟ ପ୍ରିୟଦର୍ଶୀ ପାଣିଗ୍ରାହୀ ବିମାନରେ ଦୁବାଇରୁ ଭୁବନେଶ୍ବର ଆସି ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ । ସେମାନଙ୍କୁ ଓ୍ବେଲକମ ହୋମ୍‌ କହି ମୁଖ୍ୟମନ୍ତ୍ରୀ ସ୍ବାଗତ କରିଥିଲେ ।

ପ୍ରବାସୀ ଓଡ଼ିଆଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ଖୁସି ହୋଇଥିଲେ। ମୁଖ୍ୟମନ୍ତ୍ରୀ ସେମାନଙ୍କ କଥା ଶୁଣିଥିଲେ ଏବଂ ବିମାନ ଚଳାଚଳ ଦ୍ବାରା ଓଡ଼ିଆମାନେ ପାଇଥିବା ସୁବିଧା ସମ୍ପର୍କରେ ଜାଣି ଖୁସି ହୋଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଯୋଗୁ ଭୁବନେଶ୍ବର ଓ ଦୁବାଇ ମଧ୍ୟରେ ସିଧାସଳଖ ବିମାନ ସେବା ଆରମ୍ଭ ହୋଇପାରିଛି । ଭୁବନେଶ୍ବର-ଦୁବାଇ ମଧ୍ୟରେ ସିଧାସଳଖ ବିମାନ ସେବା ପ୍ରବାସୀ ଓଡ଼ିଆଙ୍କର ଦୀର୍ଘ ଦିନର ଦାବି ଥିଲା। ଏହି ସେବା ଆରମ୍ଭ ହୋଇଥିବାରୁ ସମସ୍ତେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଗତବର୍ଷ ଜୁନ ୨୨ତାରିଖରେ ଦୁବାଇ – ଭୁବନେଶ୍ବର ମଧ୍ୟରେ ସିଧାସଳଖ ବିମାନ ଚଳାଚଳ ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । ଏବେ ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରତିଶ୍ରୁତି ରକ୍ଷା କରିଛନ୍ତି । ଏହାଦ୍ବାରା ସମୟ ଓ ଅର୍ଥ ବଞ୍ଚିବା ସହ ଅନେକ ଅସୁବିଧାକୁ ଏଡ଼ାଇ ମାତ୍ର ୪ ଘଣ୍ଟାରେ ଦୁବାଇରୁ ଭୁବନେଶ୍ବର ପହଞ୍ଚି ହେଉଛି । ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ ସହିତ ଏକ ଖନଜର୍ ବା ପାରମ୍ପରିକ ଖଣ୍ଡା ଉପହାର ପ୍ରଦାନ କରିଛନ୍ତି ପ୍ରବାସୀ ଓଡ଼ିଆ ।

ଏହା ସହିତ ଖଜୁରୀ ମଧ୍ୟ ପ୍ରଦାନ କରିଥିଲେ ଓଡ଼ିଆ । ଏହା ବ୍ୟତୀତ ୟୁଏଇରେ ଥିବା ବିଭିନ୍ନ ବର୍ଗର ଓଡ଼ିଆଙ୍କ ଦ୍ବାରା ସ୍ବାକ୍ଷରିତ ଏକ ଧନ୍ୟବାଦ ଚିଠି ମଧ୍ୟ ପ୍ରଦାନ କରିଛନ୍ତି । ଏହି ଅବସରରେ ସେମାନଙ୍କୁ ମୁଖ୍ୟମନ୍ତ୍ରୀ ହକି ଟି-ସାର୍ଟ ଉପହାର ପ୍ରଦାନ କରିଥିଲେ । ହକିର ପ୍ରଚାର ପ୍ରସାର କରିବାରେ ଓଡ଼ିଶାର ଉଦ୍ୟମ ବିଷୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ। ସେ କେବେ ଦୁବାଇ ଗସ୍ତ କରିବେ ବୋଲି ପଚାରିବାରୁ ହସିହସି ଉତ୍ତର ଦେଇ ଖୁବଶୀଘ୍ର ଯିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।