ଏବେବି ଚାଲିଛି ପଲିଥିନ୍ ବ୍ୟବହାର, ଗୋଦାମରେ ଅଚାନକ ଚଢ଼ାଉ କଲେ ବିଏମସି ଅଧିକାରୀ

ଭୁବନେଶ୍ୱର: ରାଜଧାନୀରେ ପଲିଥିନ ବ୍ୟବହାରକୁ ସରକାର ସଂପୂର୍ଣ୍ଣ ନିଷେଧ କରିବା ସତ୍ୱେ ଏହାର ବ୍ୟବହାର ବନ୍ଦ ହୋଇ ନାହିଁ । ଅନେକ ସ୍ଥାନରେ ବେପାରି ପଲିଥିନର ବହୁଳ ଭାବେ ବ୍ୟବହାର ଜାରି ରଖିଛନ୍ତି ।

ତେବେ ସହିଦନଗରରେ ଥିବା ଏକ ପଲିଥିନ୍ ଗୋଦାମରେ ଆଜି ଚଢ଼ାଉ ହୋଇଛି । ସହିଦନଗର ଥାନା ପୋଲିସର ଏକ ସ୍ପେଶାଲ ସ୍କ୍ୱାଡ୍ ଏହି ଗୋଦାମରେ ଚଢ଼ାଉ କରିଥିବା ଜଣାପଡ଼ିଛି । ଚଳିତ ବର୍ଷ ଅକ୍ଟୋବର ୨ରୁ ପଲିଥିନ ସମ୍ପୂର୍ଣ ଭାବେ ନିଷେଧ ହୋଇଥିବା ବେଳେ ବେଆଇନ୍ ଭାବରେ ଏହି ଗୋଦାମ ଚାଲିଥିଲା । ଏକ ବିଶେଷ ସୂତ୍ରରୁ ଖବର ପାଇ ପୋଲିସ୍ ଚଢ଼ାଉ କରିଥିଲା ।

ଏହି ଗୋଦାମରୁ ୫୦ ଲକ୍ଷରୁ ଅଧିକ ଟଙ୍କାର ୨ ଟ୍ରକ୍ ପଲିଥିନ ଜବତ ହୋଇଥିବା ଅତିରିକ୍ତ କମିଶନର ଅବନୀକାନ୍ତ ପଟ୍ଟନାୟକ ସୂଚନା ଦେଇଛନ୍ତି । ଚଢ଼ାଉରେ ବିପୁଳ ପରିମାଣରେ ପ୍ଲାଷ୍ଟିକ୍ ଚାମଚ, ପ୍ଲେଟ୍ , ଦୋନା ଓ ପଲିଥିନ ଜବତ ହୋଇଛି। ସହିଦନଗର ଥାନା ପୋଲିସ୍ ଗୋଦାମର ଜଣେ ସପ୍ଲାଏରକୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି । ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଖବର ଦିଆଯାଇଥିବା ସୂଚନା ଦେଇଥିଲେ ଅଧିକାରୀ ।

Leave a Reply