ପୋଲିଓ ଟୀକାକରଣ ଟିମ୍ ଉପରେ ଆକ୍ରମଣ, ୨ ପୋଲିସ କର୍ମୀଙ୍କ ସହ ୩ମୃତ

ପେଶୱାର: ପାକିସ୍ତାନରେ ପୋଲିଓ ନିରୋଧୀ ଟିକାକରଣ ପାଇଁ ଯାଇଥିବା ଟିମ୍ ଉପରେ ଆକ୍ରମଣ । ୨ ପୋଲିସ କର୍ମୀଙ୍କ ସମେତ ୩ଜଣଙ୍କ ମୃତ୍ୟୁ । ଏହି ଅଭାବନୀୟ ଘଟଣା ଘଟିଛି ପାକିସ୍ତାନର ଅଶାନ୍ତ ଉତ୍ତର ବଜିରିସ୍ତାନ କବାୟଲିରେ ଘଟିଛି । ଆଫଗାନୀସ୍ତାନ ସୀମାକୁ ଲାଗି ଏହି ଜିଲ୍ଲାରେ ଚଳିତ ବର୍ଷ ୯ ପୋଲିଓ ରୋଗୀ ଚିହ୍ନ ହୋଇଛନ୍ତି  । ଏହି କାରଣରୁ ପୋଲିଓ ନିରୋଧ ଅଭିଯାନରେ ଟୀକାକରଣ ପାଇଁ ଏକ ଟିମ ଘର ଘର ବୁଲି ଛୋଟ ପିଲାଙ୍କୁ ପୋଲିଓ ଟୀକା ଦେଉଥିଲା  । ଆଜି ଯିବା ସମୟରେ ବନ୍ଧୁକଧାରୀମାନେ ଟିମ୍ ଉପରେ ଆକ୍ରମଣ କରିଦେଇଥିଲେ  । ଏଥିରେ ଟିମର ଜଣେ ସଦସ୍ୟ ଏବଂ ସେମାନଙ୍କୁ ସୁରକ୍ଷା ଦେଉଥିବା ୨ ପୋଲିସକର୍ମୀଙ୍କ ମୃତ୍ୟୁ ହୋଇଯାଇଛି  । ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛି  ।

ନିକଟ ସମୟରେ ପୋଲିଓ ବିରୋଧୀ ଟୀକାକରଣ ଅଭିଯାନରେ ସାମିଲ କର୍ମଚାରୀଙ୍କ ଉପରେ ଆକ୍ରମଣ ବଢିବାରେ ଲାଗିଛି  । ଚଳିତ ବର୍ଷ ମାର୍ଚ୍ଚରେ ଉତ୍ତର ପଶ୍ଚିମ ପାକିସ୍ତାନରେ ବନ୍ଧୁକଧାରୀମାନେ ଜଣେ ମହିଳା ପୋଲିଓ କର୍ମୀଙ୍କୁ ଗୁଳି କରି ହତ୍ୟା କରିଥିଲେ  । ସେ ପୋଲିଓ ଟୀକା ଦେଇ ଫେରୁଥିବା ସମୟରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା  । ଗତ ବର୍ଷ ଜାନୁଆରୀରେ ଉତ୍ତର ପଶ୍ଚିମ ପାକିସ୍ତାନରେ ପୋଲିଓ ଟୀକାକରଣ କର୍ମୀଙ୍କ ସୁରକ୍ଷା କରୁଥିବା ଜଣେ ପୋଲିସ ଅଧିକାରୀଙ୍କୁ ଗୁଳିମାରି ହତ୍ୟା କରାଯାଇଥିଲା  । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ରିପୋର୍ଟ ଅନୁଯାୟୀ ବିଶ୍ୱରେ ପାକିସ୍ତାନ ଏବଂ ଆଫଗାନିସ୍ତାନ ଏପରି ଦୁଇଟି ରାଷ୍ଟ୍ର ଯେଉଁଠି ପୋଲିଓ ରୋଗୀଙ୍କ ସଂଖ୍ୟା ଏବେବି ରହିଛି  ।