ଦୁର୍ନୀତିଖୋରଙ୍କୁ ‘ମୋ ସରକାର’ ଛାଟ, ରାଜ୍ୟ ପୋଲିସିଂ ସିଷ୍ଟମରେ ଆସୁଛି ସୁଧାର

ଭୁବନେଶ୍ୱର: ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୨୧ ଅନୁଯାୟୀ ପ୍ରତ୍ୟେକ ନାଗରିକଙ୍କ ବ୍ୟକ୍ତିଗତ ସ୍ୱାଧୀନତା ଓ ଜୀବନଧାରଣ ଅଧିକାର ଅଛି। କିନ୍ତୁ ଦେଶରେ ୩ ବର୍ଷରେ ୩୪୮ଟି ହାଜତ ମୃତ୍ୟୁ ହୋଇଛି। ଗିରଫଦାରିର ୨୪ ଘଣ୍ଟା ମଧ୍ୟରେ ୬୦ ପ୍ରତିଶତ ଲୋକଙ୍କ ମୃତ୍ୟୁ ଘଟିଛି। ଏଭଳି ଘଟଣା ମହାରାଷ୍ଟ୍ରରେ ସର୍ବାଧିକ ଘଟିଥିବା ବେଳେ ପଛକୁ ରହିଛି ଗୁଜରାଟ ଓ ଆନ୍ଧ୍ରପ୍ରଦେଶ। ଥାନାରେ ହିଁ ସର୍ବାଧିକ ମାନବାଧିକାର ଉଲ୍ଲଂଘନ ହେଉଥିବା ଉଦବେଗର ସହ କହିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ  ଏନ୍‌.ଭି ରମନା। ଅନ୍ୟପକ୍ଷରେ ଓଡ଼ିଶାରେ ପୋଲିସର ବର୍ବରତା ଜାତୀୟ ହାରଠାରୁ କମ ଥିବା ଅବସରପ୍ରାପ୍ତ ପୋଲିସ ଅଧିକାରୀ କହିଛନ୍ତି।

ଓଡ଼ିଶାରେ ପୂର୍ବରୁ ପୋଲିସ ଅତ୍ୟାଚାରର ଅନେକ ନଜିର ଥିବା ବେଳେ ଏବେ ଏଥିରେ ଲାଗିଛି ଲଗାମ। ‘ମୋ ସରକାର’ ଲାଗୁ ହେବା ଦିନଠାରୁ ନିଆଯାଉଛି ତ୍ୱରିତ କାର୍ଯ୍ୟାନୁଷ୍ଠାନ। ନିକଟରେ ଜଗତସିଂହପୁର ଜିଲ୍ଲାର ଜଣେ ମଦ୍ୟପ ଥାନା ଅଧିକାରୀଙ୍କୁ ହେଡକ୍ୱାର୍ଟରକୁ ବଦଳି, ମହିଳାଙ୍କୁ ଦୁର୍ବ୍ୟବହାର ଘଟଣାରେ ଚନ୍ଦ୍ରଶେଖରପୁର ଥାନାଧିକାରୀଙ୍କ ବଦଳି, ଯାଆଁଳା ଫାଣ୍ଡି ଅଧିକାରୀଙ୍କୁ ସସପେଣ୍ଡ ଓ ବାଲେଶ୍ୱରରେ ଆଇନଜୀବୀଙ୍କୁ ମାଡ଼ ଭଳି ଅଭିଯୋଗରେ ପୋଲିସ ବିରୋଧରେ ହୋଇଛି ବିଭାଗୀୟ କାର୍ଯ୍ୟାନୁଷ୍ଠାନ। ସେହିପରି ସହିଦନଗର ଥାନା କେଶୁରା ଛକରେ ନାବାଳକଙ୍କୁ ଗୋଇଠା ମାରିବା ଘଟଣାରେ ୪ ପିସିଆର କର୍ମଚାରୀଙ୍କ ବିରୋଧରେ ଷ୍ଟ୍ରଙ୍ଗ ଆକ୍ସନ ନେଇଛି ଗୃହ ବିଭାଗ।

Leave a Reply