ଲାଞ୍ଚ ନେଉଥିଲେ ସବ-ଇନ୍ସସ୍ପେକ୍ଟର, ଭିଜିଲାନ୍ସକୁ ଦେଖି ଗିଳିଦେଲେ ୪ ହଜାର ଟଙ୍କା

ଚଣ୍ଡିଗଡ: ଲାଞ୍ଚ ନେଇ ହଟହଟା ସବ ଇନସ୍ପେକ୍ଟର  । ଭିଜିଲାନ୍ସ ଟିମ୍‌କୁ ଦେଖି ଗିଳିଦେଲେ ଟଙ୍କା  । ମଇଁଷି ଚୋରି ମାମଲାରେ କାର୍ଯ୍ୟାନୁଷ୍ଠାନ ପାଇଁ ଲାଞ୍ଚ ନେଉଥିବାବେଳେ ଦେଖିବାକୁ ମିଳିଛି ଏମିତି ଅଦ୍ଭୁଦ ଘଟଣା  । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି  । ହରିୟାଣାର ଫରିଦାବାଦରେ ଜଣେ ସବ ଇନସ୍ପେକ୍ଟର ଅଭିଯୋଗକାରୀଙ୍କୁ ୪ ହଜାର ଟଙ୍କା ଲାଞ୍ଚ ମାଗିଥିଲେ  । କିନ୍ତୁ ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ପୋଲିସ ବାବୁଙ୍କୁ ମାଡି ବସିଥିଲା  । ପ୍ରମାଣ ନଷ୍ଟ କରିବାକୁ ତରବର ହୋଇ ଲାଞ୍ଚ ଟଙ୍କା ଗିଳି ଦେଇଥିଲେ ପୋଲିସ ବାବୁ  । ଭିଜିଲାନ୍ସ ସହ ସବ ଇନସ୍ପେକ୍ଟରଙ୍କ ପେଲାଠେଲାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି  ।

ସେକ୍ଟର ୩ ଥାନାର ସବଇନସ୍ପେକ୍ଟରଙ୍କ ବିରୋଧରେ ଅଭିଯୋଗ ହୋଇଥିଲା  । ତଦନ୍ତ ପାଇଁ ଭିଜିଲାନ୍ସ ଟିମ ଘଟଣାସ୍ଥଳରେ ପହଞ୍ଚିଥିଲେ  । କିନ୍ତୁ ଭିଜିଲାନ୍ସକୁ ଦେଖି ଟଙ୍କା ଗିଳି ଦେଇଥିଲେ ପୋଲିସ ବାବୁ  । ତଥାପି ତାଙ୍କ ଉଦ୍ୟମ ସଫଳ ହୋଇପାରି ନଥିଲା  । ଭିଜିଲାନ୍ସ ଟିମ ଜୋର ଜବରଦସ୍ତ ତାଙ୍କ ପାଟିରୁ ଟଙ୍କା ବାହାର କରି ଗିରଫ କରିଛି  ।

ମଇଁଷି ଚୋରି ମାମଲାର ରଫାଦଫା ପାଇଁ ଅଭିଯୋଗକାରୀଙ୍କୁ ପୋଲିସ ବାବୁ ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । କିନ୍ତୁ ୧୦ ହଜାର ଟଙ୍କାରେ ଡିଲ୍‌ ଫାଇନାଲ ହୋଇଥିଲା  । ଯାହାପରେ ଅଭିଯୋଗକାରୀ ତାଙ୍କୁ ଦୁଇ ଥରରେ ୬ ହଜାର ଟଙ୍କା ଦେଇଥିଲେ  । ଏହାପରେ ସେ ଟଙ୍କା ଦେବାକୁ ଅସର୍ମଥ ବୋଲି ପୋଲିସ ବାବୁଙ୍କୁ ଜଣାଇଥିଲେ  । ହେଲେ ସବଇନସ୍ପେକ୍ଟର ଆହୁରି ୪ ହଜାର ଦାବି କରିବାରୁ ବାଧ୍ୟ ହୋଇ ପୋଲିସର ଦ୍ବାରସ୍ଥ ହୋଇଥିଲେ ଅଭିଯୋଗକାରୀ  ।