ମଇଁଷି-କୁକୁର ପରେ ଏବେ ନେତାଙ୍କ ଘୋଡ଼ା ଖୋଜୁଛି ପୋଲିସ

ଲକ୍ଷ୍ନୌ: କାମ ଛାଡ଼ି ନେତାଙ୍କ ହଜିଲା ଘୋଡ଼ା ଖୁଜୁଛି ପୋଲିସ । ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ । ହେଲେ ଉତ୍ତରପ୍ରଦେଶ କୋତବାଲି ଥାନା ପୋଲିସ ପାଇଁ ଏବେ ସବୁଠାରୁ ବଡ଼ କାମ ହେଲା ନେତାଙ୍କ ଘୋଡ଼କୁ ଖୋଜି ବାହାର କରିବା । ନେତା ଜଣଙ୍କ ହେଉଛନ୍ତି କଂଗ୍ରେସ କିଷାନ ସେଲ୍ ଜିଲ୍ଲାଧ୍ୟକ୍ଷ ନାଜିସ ଖାନ୍ ।

ନାଜିସ୍ ପୋଷା ଘୋଡ଼ାର ଏକ ଫଟୋ ନିଜ ଟ୍ବିଟର ଆକାଉଣ୍ଟରେ ପୋଷ୍ଟ କରିଥିଲେ । ଏଥିରେ ସେ ଲେଖିଥିଲେ, ଘୋଡ଼ାଟିର ଦେହ କଳା ଥିବା ବେଳେ ମୁହଁ ଧଳା । ୪ ବର୍ଷର ହୋଇଥିବାବେଳେ ତାକୁ କିଣି ଆଣିଥିଲେ । ସେ ତାଙ୍କ ପରିବାରର ସଦସ୍ୟ ଭଳି ଥିଲା । ଗତ ଶୁକ୍ରବାର ରାତିରୁ ଘୋଡାଟି ନିଖୋଜ ହୋଇଯାଇଛି । ଏନେଇ ସେ ନିଜ ଟ୍ୱିଟ କରିବା ସହ ନିଖୋଜ ମାମଲା ରୁଜୁ କରି ଘୋଡାକୁ ଖୋଜିବାକୁ ପୋଲିସ ବିଭାଗର ବରିଷ୍ଠ ଅଧିକାରୀଙ୍କୁ ଟ୍ୟାଗ୍ କରିଥିଲେ । ତା’ ପରେ ପୋଲିସ ବାବୁମାନେ ସବୁ କାମ ଛାଡ଼ି ନେତାଙ୍କ ଘୋଷ କିଣିବାରେ ଦିନରାତି ଏକ କରିଦେଇଛନ୍ତି ।

ବରେଲିର ଏଡିଜି ଅବିନାଶ ଚନ୍ଦ୍ରଙ୍କ କହିବାନୁସାରେ, ନାଜିଙ୍କ ଅନଲାଇନ ଅଭିଯୋଗ ପରେ କୋତବାଲି ଥାନାରେ ପୋଲିସ ଏକ ମାମଲା ରୁଜୁ କରିଥିଲା । ସେ ଆହୁରି କହିଛନ୍ତି, ‘ଘୋଡ଼ାଟିକୁ ସେ ୮୦ ହଜାର ଟଙ୍କା ଦେଇ କିଣିଥିଲେ । ହଜତପୁର ଗେଟ୍ ନିକଟସ୍ଥ ଏକ ମିଲ୍ ପଛପଟେ ଘୋଡ଼ାଟି ବାନ୍ଧା ଯାଇଥିଲା । ନଭେମ୍ବର ୫ ତାରିଖ ରାତିରୁ ଘୋଡ଼ାଟି ନିଖୋଜ ହୋଇଯାଇଥିବା ସେ ଜଣାଇଛନ୍ତି ।

ତେବେ ଉତ୍ତରପ୍ରଦେଶ ପୋଲିସ ପାଇଁ ଘୋଡା ଖୋଜା କାମ ବେଶି ବଡ଼ ସମସ୍ୟା ନୁହେଁ । କାରଣ ଏହା ପୂର୍ବରୁ ରାଜ୍ୟ ପୋଲିସ ପାଖରେ ପୋଷା କୁକୁର ଓ ମଇଁଷି ଖୋଜିବାର ଅଭିଜ୍ଞତା ରହିଛି । ୨୦୧୪ ଜାନୁଆରୀରେ ପସିଆପୁର ଡାଏରୀରେ ସମାଜବାଦୀ ପାର୍ଟି ନେତା ଓ ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଆଜମ ଖାନଙ୍କ ୭ଟି ମଇଁଷି ଏବଂ  ଡିଏମ୍ ଅମିତ କିଶୋରଙ୍କ ପୋଷା କୁକୁର ନିଖୋଜ ହୋଇଯାଇଥିଲେ । ରାମପୁର ପୋଲିସ ଦିନରାତି ଏକ କରି ସମସ୍ତ ମଇଁଷି ଓ କୁକୁର ବାହାର କରିଥିଲା । ଠିକ୍ ସେହିଭଳି ପୋଲିସ ଘୋଡ଼ାକୁ ନିଶ୍ଚିତ ଖୋଜି ବାହାର କରିଦେବ ବୋଲି ନାଜିମ କହିଛନ୍ତି।

Leave a Reply