ଆତ୍ମହତ୍ୟା କରିବାକୁ ଯାଇଥିବା ଦୁଇ ପ୍ରେମୀ ଯୁଗଳଙ୍କୁ ବିବାହ କରାଇଲେ ପୋଲିସ ବାବୁ

1 min read

ଦେବଗଡ: ପ୍ରେମକୁ ମିଳିଲା ନୂଆ ନାଁ । ଜୀବନ ହାରିବାକୁ ଯାଇଥିବା ବେଳେ ଦେବଦୂତ ସାଜିଲେ ଗାଁ ଲୋକ । ଆଉ ପ୍ରେମକୁ ସ୍ୱୀକୃତି ଦେବାକୁ ଘର ଲୋକଙ୍କୁ ବୁଝାଇଲେ ପୋଲିସ ବାବୁ । ଆଉ ଶେଷରେ ଦୁହିଁଙ୍କ ଆତ୍ମହତ୍ୟା ଉଦ୍ୟମ ବିବାହରେ ପରିଣତ ହୋଇଗଲା । ପୋଲିସ ବାବୁଙ୍କ ଉଦ୍ୟମରେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତିରୁ ସାତ ଜନ୍ମର ସାଥି ହେବାର ପ୍ରତିଶୃତି ନେଇଛନ୍ତି ପ୍ରେମୀଯୁଗଳ ।  ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଦେବଗଡ ଜିଲ୍ଲାରେ ।

ସୂଚନା ଅନୁସାରେ, ଦେବଗଡ ଜିଲ୍ଲା କୁଣ୍ଢେଇଗୋଳା ଥାନା ମହାସିନ୍ଧୁ ଗାଁର ସୁମନ୍ତ ପ୍ରଧାନ ଓ ବଡ଼ଚ୍ଛାପଲ ଗାଁର ନଳିନୀ କିଷାନ ଦୁହେଁ ଦୁହିଁଙ୍କୁ ଦୀର୍ଘ ବର୍ଷ ଧରି ପ୍ରେମ କରୁଥିଲେ । କିନ୍ତୁ ପରିବାର ଲୋକେ ତାଙ୍କ ପ୍ରେମକୁ ସ୍ୱୀକୃତି ଦେଇନଥିଲେ । ବାରମ୍ବାର ଏହି କଥାକୁ ନେଇ ଦୁଇ ଜଣଙ୍କ ଉପରେ ଚାପ ପକାଉଥିଲେ ପରିବାର ଲୋକେ । ଫଳରେ ନିଜ ପ୍ରେମକୁ ବଞ୍ଚାଇବାକୁ ଯାଇ ଆତ୍ମହତ୍ୟାର ବାଟ ବାଛି ନେଇଥିଲେ ପ୍ରେମିକ- ପ୍ରେମିକା ।

ଯାହା ଫଳରେ ଦୁହେଁ କୀଟନାଶକ ପିଇ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲେ  । ସ୍ଥାନୀୟ ଲୋକେ ଉଦ୍ଧାର କରି ପୋଲିସକୁ ଖବର ଦେଇଥିଲେ  । ଏବଂ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଦୁଇଜଣଙ୍କୁ ସ୍ଥାନୀୟ ଚିକିତ୍ସାଳୟ ନେଇଯାଇଥିଲେ । ଏବଂ ସେଠାରେ ୭୨ ଘଣ୍ଟାର ଚିକିତ୍ସା ପରେ ଉଭୟ ପରିବାରକୁ ବୁଝାସୁଝା କରି ଦୁହିଁଙ୍କ ବିବାହ କରିଛି ଦେବଗଡ ପୋଲିସ ।