ପ୍ରଧାନମନ୍ତ୍ରୀ ପୂରା ଦେଶର, ତେଣୁ ଦୋଷୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଅ: ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟିକୁ ନେଇ ରାଜନୀତି ସରଗରମ ହୋଇଛି । ଗୋଟିଏ ପଟେ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟିକୁ ନେଇ ପଞ୍ଜାବ ସରକାରଙ୍କୁ ଟାର୍ଗେଟ କରୁଛି ବିଜେପି । ଅନ୍ୟପଟେ ସୁରକ୍ଷା ବ୍ୟବସ୍ଥାରେ କୌଣସି ତ୍ରୁଟି ହୋଇନଥିବା କହିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନି । ଏସବୁ ମଧ୍ୟରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କ ସହ କଥା ହୋଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ । ମୋଦିଙ୍କ ସୁରକ୍ଷାରେ ଥିବା ତ୍ରୁଟି ଘଟଣାରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ।

ସୋନିଆ ଗାନ୍ଧୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ପୂରା ଦେଶର ତେଣୁ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ମାମଲାର ପୂରା ଧ୍ୟାନ ରଖିବା ଆବଶ୍ୟକ । ଯିଏ ବି ଏହି ଘଟଣାରେ ଦୋଷୀ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥ‌ା କରାଯିବା ଆବଶ୍ୟକ । କାରଣ ପ୍ରଧାନମନ୍ତ୍ରୀ ହେଉଛନ୍ତି ପୂରା ଦେଶର ତେଣୁ ତାଙ୍କର ସୁରକ୍ଷା ବ୍ୟବସ୍ଥା କଡାକଡି ହେବା ଉଚିତ ବୋଲି କହିଛନ୍ତି ସୋନିଆ ଗାନ୍ଧୀ । ସୋନିଆ ଗାନ୍ଧୀଙ୍କୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚନ୍ନି ପୂରା ଘଟଣାକ୍ରମ ବାବଦରେ ସୂଚନା ଦେବା ସହ ଏହାର ଯାଞ୍ଚ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଥିବା ସେ କହିଛନ୍ତି ।

ତେବେ ଏହି ଘଟଣାରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚନ୍ନି ପୂର୍ବରୁ କହିଥିଲେ କି, ଏହା ଏକ ଛୋଟ ଘଟଣା କିନ୍ତୁ ଜାଣିଶୁଣି ଏହାକୁ ବଡ କରାଯାଉଛି ଏବଂ ବିବାଦ ଭିତରକୁ ଟଣାଯାଉଛି ବୋଲି ଚନ୍ନି କହିଥିଲେ । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ କୌଣସି ବିପଦ ନଥିଲା । ପ୍ରକୃତରେ ବିଜେପିର ଏହି ସଭାରେ ଅଧିକ ଲୋକ ନଥିଲେ । ତେଣୁ ସେହି ଘଟଣାରୁ ଧ୍ୟାନ ହଟାଇବା ପାଇଁ ଏହି ଘଟଣାକୁ ଅଧିକ ବିବାଦୀୟ କରାଯାଉଛି ବୋଲି କହିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଚନ୍ନି ।

 

Leave a Reply