ଦେଶରେ କରୋନା ସଂକ୍ରମଣକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

ନୂଆଦିଲ୍ଲୀ: ଚିନ୍ତା ବଢ଼ାଇଲାଣି ଓମିକ୍ରନ । ଗତ ୨୪ ଘଣ୍ଟାରେ ଭାରତରେ ଦେଢ଼ ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଚିହ୍ନଟ ହୋଇଛି । ତେବେ ଭାରତରେ ଦ୍ରୁତ ଗତିରେ ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି କୋଭିଡ ସ୍ଥିତିର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ବୈଠକରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଏବଂ କୋଭିଡ୍ ସମ୍ଭନ୍ଧୀୟ ଅନ୍ୟ ଏଜେନ୍ସିର ଅଧିକାରୀମାନେ ଉପସ୍ଥିତ ଥିଲେ । ବୈଠକରେ ଦେଶରେ ସମ୍ପ୍ରତି ସୃଷ୍ଟି ହୋଇଥିବା ତୃତୀୟ ଲହରରୁ ଦେଶକୁ ମୁକୁଳାଇବା ପାଇଁ ବୈଠକରେ ଆଲୋଚନା ହୋଇଛି ।

ଏହି ବୈଠକରେ ସଂକ୍ରମଣ ଓ ଭୂତାଣୁକୁ ପ୍ରତିହତ କରିବା ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଆଲୋଚନା କରିଛନ୍ତି । ସେହିପରି କିଶୋରଙ୍କ ଟିକାକରଣ ତ୍ୱରାନ୍ୱିତ କରିବା ସହ ଫ୍ରଣ୍ଟଲାଇନ ଓ୍ୱାର୍କରଙ୍କୁ ତୁରନ୍ତ ବୁଷ୍ଟର ଡୋଜ୍ ଦେବାକୁ ଗୁରୁତ୍ୱ ଦିଆଯାଇଛି । ଆସନ୍ତାକାଲି ସବୁ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଆଲୋଚନା କରିବେ ।

ଅନ୍ୟପଟେ ପ୍ରଥମ ଓ ଦ୍ୱିତୀୟ ଲହର ପିଲାଙ୍କ ଉପରେ ସେତେଟା ପ୍ରଭାବ ପକାଇ ନଥିଲେ ବି ତୃତୀୟ ଲହରରେ ଅଧିକ ଶିଶୁ ଆକ୍ରାନ୍ତ ହେଉଛନ୍ତି । ଦିଲ୍ଲୀ ଏନସିଆରରେ ଦୈନିକ ସଂକ୍ରମିତଙ୍କ ମଧ୍ୟରେ ୧୮ବର୍ଷରୁ କମ୍ ବୟସ୍କ ଅଧିକ ଆକ୍ରାନ୍ତ ହେଉଛନ୍ତି । ସେହିପରି ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୩୫ ଶହ ପାର୍ କରିଛି । ଦିଲ୍ଲୀ, ୟୁପି, ତାମିଲନାଡୁ, ମହାରାଷ୍ଟ୍ର, କର୍ଣ୍ଣାଟକରେ ସଂକ୍ରମଣ ରକେଟ୍ ବେଗରେ ବଢ଼ୁଥିବା ବେଳେ ଏବେ ଦେଶରେ ଦୈନିକ ପଜିଟିଭିଟି ରେଟ୍ ୧୦ପ୍ରତିଶତ ଉପରେ ରହିଛି । ଆଜି ଦେଶରେ ଏକ ଲକ୍ଷ ୫୯ହଜାର ୬୩୨ କେସ୍ ରେକର୍ଡ ହୋଇଛି । ଜାନୁଆରୀ ଶେଷ ସୁଦ୍ଧା ସଂକ୍ରମଣ ଶୀର୍ଷ ଛୁଇଁବ ବୋଲି ବିଶେଷଜ୍ଞ ଆକଳନ କରିଛନ୍ତି ।

Leave a Reply