ବାଂଲାଦେଶ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ କହିଲେ, ମା’କାଳୀ କରୋନାରୁ ଆମକୁ ରକ୍ଷା କରିବେ

ଢାକା: ଦୁଇ ଦିନିଆ ବାଂଲାଦେଶ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଥମ ଦିନ କୂଟନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଥିଲା । ଦ୍ୱିତୀୟ ତଥା ଅନ୍ତିମ ଦିନର ଗସ୍ତ ରାଜନୈତିକ ମହତ୍ୱ ବହନ କରୁଛି । ଅନ୍ତିମ ଦିନରେ ଅର୍ଥାତ ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଢାକାର ଜୋଶେରେଶ୍ୱରୀ କାଳୀ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । ଏହି ମନ୍ଦିର ହିନ୍ଦୁ ବିଶେଷକରି ପଶ୍ଚିମବଙ୍ଗର ହିନ୍ଦୁଙ୍କ ପାଇଁ ଗୁରୁତ୍ୱ ରଖେ । ଏହା ୫୧ ଶକ୍ତିପୀଠ ମଧ୍ୟରୁ ଗୋଟିଏ ।

ଶନିବାର ସକାଳେ ମୋଦି ଜୋଶେରେଶ୍ୱରୀ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ । ସେଠାରେ ସେ ପୂଜର୍ଚ୍ଚନା କରିଥିଲେ । ପୂଜାର୍ଚ୍ଚନା ପରେ ସେ କହିଥିଲେ ଯେ, କାଳୀଙ୍କ ଦର୍ଶନ ପାଇଁ ସୁଯୋଗ ମିଳିଥିବାରୁ ମୁଁ ଧନ୍ୟ ମନେ କରୁଛି । କରୋନାରୁ ଦୁନିଆକୁ ମୁକ୍ତି ଦେବା ପାଇଁ ମା’ କାଳୀଙ୍କୁ ପ୍ରାର୍ଥନା କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି

କାଳୀ ମନ୍ଦିରରେ ଏକ କମ୍ୟୁନିଟି ହଲ ନିର୍ମାଣରେ ଭାରତ ସହଯୋଗ କରିବ ବୋଲି ସେ କହିଛନ୍ତି । ଏହି କମ୍ୟୁନିଟି ହଲ ଦ୍ୱାରା ଭକ୍ତ ଉପକୃତ ହେବା ସହ ବାତ୍ୟା ସମୟରେ ଏହା ଆଶ୍ରୟସ୍ଥଳୀ ଭାବେ କାର୍ଯ୍ୟ କରିବ ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ କାଳୀ ମନ୍ଦିରର ପୂଜା କରିବା ପରେ ବଙ୍ଗବନ୍ଧୁ ମୁଜିବୁର ରହମନଙ୍କ ସମାଧୀସ୍ଥଳକୁ ଯାଇଥିଲେ । ସେଠାରେ ସେ ବୃକ୍ଷରୋପଣ କରିଥିଲେ । ଏହି ସମୟରେ ବଂଲାଦେଶ ପ୍ରଧାନମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ ।

ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଆଜି ଓରାକାଣ୍ଡି ସ୍ଥିତ ମତୁଆ ସମ୍ପ୍ରଦାୟର ମନ୍ଦିରକୁ ଦର୍ଶନ ପାଇଁ ଯିବେ । ଓରାକାଣ୍ଡି ହେଉଛି ସେହି ସ୍ଥାନ ଯେଉଁଠାରେ ମତୁଆ ସମ୍ପ୍ରଦାୟର ପ୍ରତିଷ୍ଠାତା ହରିଶ୍ଚନ୍ଦ୍ର ଠାକୁରଙ୍କ ଜନ୍ମ ହୋଇଥିଲା । ପଶ୍ଚିମବଙ୍ଗରେ ନିର୍ବାଚନ ହେଉଥିବା ବେଳେ ଏହା ରାଜନୈତିକ ଦୃଷ୍ଟିକୋଣରୁ ବେସ ଗୁରୁତ୍ୱ ରଖେ । କାରଣ ଦେଶ ବିଭାଜନ ପରେ ମତୁଆ ସମ୍ପ୍ରଦାୟର ଅନେକ ଭାରତ ଚାଲି ଆସିଥିଲେ । ମତୁଆ ସମ୍ପ୍ରଦାୟର ଭୋଟ ପଶ୍ଚିମବଙ୍ଗରେ ଗୁରୁତ୍ୱ ରଖିଥାଏ

Leave a Reply