ପୁରୁଣା ସ୍କୁଲ ପାଇବ ନୂଆ ରୂପ, ରାଜ୍ୟର ସ୍କୁଲ ରୂପାନ୍ତରଣ ଢାଞ୍ଚାରେ ’ପିଏମ ଶ୍ରୀ ସ୍କୁଲ’ ଯୋଜନା

1 min read

ନୂଆଦିଲ୍ଲୀ: କେନ୍ଦ୍ର ଆପଣେଇଲା ଓଡ଼ିଶା ମଡେଲ୍ । ରାଜ୍ୟର ସ୍କୁଲ ରୂପାନ୍ତରଣ ଢାଞ୍ଚାରେ ପିଏମ୍ ଶ୍ରୀ ସ୍କୁଲ୍ । ଓଡ଼ିଶା ଢାଞ୍ଚାରେ ବଦଳିବ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନର ରୂପରେଖ । ପୁରୁଣା ସରକାରୀ ସ୍କୁଲ ମଧ୍ୟ ପାଇବ ନୂଆ ରୂପ । ଓଡ଼ିଶା ସରକାରଙ୍କ ୫-ଟି ଉପକ୍ରମରେ ହାଇସ୍କୁଲ ରୂପାନ୍ତରଣ ଢାଞ୍ଚାରେ କେନ୍ଦ୍ର ଦ୍ୱାରା ପରିଚାଳିତ ବିଦ୍ୟାଳୟର ନବକଳେବର ଯୋଜନା କରାଯାଇଛି । ଗତକାଲି ଗୁରୁଦିବସ ଅବସରରେ ପ୍ରଧାନମନ୍ତ୍ରୀ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ।

ବଦଳିବ ସାରା ଦେଶର ୧୪ ହଜାର ୫୦୦ ଶିକ୍ଷାନୁଷ୍ଠାନର ରୂପ । ଦେଶର ପ୍ରତ୍ୟେକ ବ୍ଲକରେ ଏହି ଯୋଜନା କାର୍ଯ୍ୟକାରୀ ହେବ । ପ୍ରତି ବ୍ଲକରୁ ପ୍ରାୟ ୨ଟି ଲେଖାଏ ସ୍କୁଲକୁ ଏଥି ଲାଗି ଚୟନ କରାଯିବ । ଓଡ଼ିଶାର ପ୍ରାୟ ୫ ଶହ ସ୍କୁଲକୁ ଏହି ଯୋଜନାରେ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି । ରାଜ୍ୟ ସରକାରଙ୍କ କାଳିଆ, ମମତା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆଦି ଢାଞ୍ଚାରେ କେନ୍ଦ୍ର ମଧ୍ୟ ଯୋଜନା ପ୍ରଣୟନ କରିଛନ୍ତି । ଖୋଦ୍ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ନିର୍ଦ୍ଦେଶିକା ଋତୁ ସେନ୍ ଓଡ଼ିଶା ଗସ୍ତରେ ଆସିଥିବା ବେଳେ ରାଜ୍ୟ ସରକାରଙ୍କ ମୋ ସ୍କୁଲ ଓ ୫ଟି ସ୍କୁଲ ରୂପାନ୍ତରଣ ଯୋଜନାର ପ୍ରଶଂସା କରିଥିଲେ ।