ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ଦାବିରେ ରାଜଧାନୀରେ ପାଇକଙ୍କ ଗର୍ଜନ

ଭୁବନେଶ୍ବର: ପାଇକ ବିଦ୍ରୋହକୁ ପ୍ରଥମ ସ୍ଵାଧୀନତା ସଂଗ୍ରାମ ମାନ୍ୟତା ଦିଅ । ଏମିତି ନାରାରେ ଆଜି ପ୍ରକମ୍ପିତ ହୋଇଥିଲା ରାଜଧାନୀ ରାଜରାସ୍ତା । ହଜାର ହଜାର ପାଇକ ନିଜ ପୂର୍ବ ପୁରୁଷଙ୍କ ବଳିଦାନକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟ ଦେବା ଦାବିରେ କରିଥିଲେ ବିଶାଳ ସମାବେଶ । ଓଡିଶା ବୀର ସମାବେଶ ପକ୍ଷରୁ ପାଇକ ଜନଗର୍ଜନ ସମାବେଶରେ ପାଇକ ଦାୟାଦ ଦେଖାଇଥିଲେ କଳାକୌଶଳ । ମାଷ୍ଟରକ୍ୟାଣ୍ଟିନଠାରୁ ଆରମ୍ଭ ହୋଇ ପ୍ରଦର୍ଶନୀ ପଡିଆ ଯାଏଁ ପାଇକ ଶୋଭାଯାତ୍ରା କରାଯାଇଛି ।

ପାଇକ ବିଦ୍ରୋହକୁ ଦେଶର  ପ୍ରଥମ ସ୍ଵାଧୀନତା ସଂଗ୍ରାମ ମାନ୍ୟତା ଦାବି ଓ ଓଡିଶା ପାଇକ ରେଜିମେଣ୍ଟ ଗଠନ ଦାବିରେ ଓଡିଶା ବୀର ମହାସଂଘ ତରଫରୁ ଏହି ଜନଗର୍ଜନ ସମାବେଶ କରାଯାଇଛି । ରାଜଧାନୀ ପରେ ଆନ୍ଦୋଳନ ଦିଲ୍ଲୀ ଯାଏଁ ବ୍ୟାପିବ ବୋଲି ଓଡିଶା ବୀର ମହାସଂଘ ପକ୍ଷରୁ କୁହାଯାଇଛି ।

୨୦୧୭ରେ ରାଜ୍ୟ ସରକାର ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ଦେବାକୁ ସଂକଳ୍ପ ପାରିତ କରି କେନ୍ଦ୍ରକୁ ପଠାଇଥିଲେ । ୨୦୧୯ରେ ଖୋର୍ଦ୍ଧା ବରୁଣେଇକୁ ରାଷ୍ଟ୍ରପତିଙ୍କ ଗସ୍ତ ବେଳେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦାବି ଦୋହରାଇଥିଲେ । ହେଲେ ୨୦୨୧ ଡିସେମ୍ବର ୩ ତାରିଖରେ ସଂସଦରେ ତତ୍କାଳୀନ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡ଼କର ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ଦେଇ ହେବ ନାହିଁ ବୋଲି କହିଥିଲେ । କେନ୍ଦ୍ର ସରକାର ବାରମ୍ବାର ଓଡ଼ିଶା ସରକାର ଏବଂ ପାଇକ ମହାସଂଘ ଦାବିକୁ ଗ୍ରହଣ କରୁନଥିବାରୁ ଆଗକୁ ଦିଲ୍ଲୀରେ ମହା ସମାବେଶ କରିବାକୁ ଯୋଜନା ହେଉଛି ।